ଅଭିନେତା ଅଭିମନ୍ୟୁ ସିଂହଙ୍କ ଘରୁ ଚୋରି କରିଥିବା ଚୋର ଗିରଫ, ଫେରାଇଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜିନିଷ
ମୁମ୍ବାଇ : ଅନ୍ଧେରୀ ୱେଷ୍ଟ ପଶ୍ ଲୋଖଣ୍ଡୱାଲା ଅଞ୍ଚଳରେ ଜଣାଶୁଣା ବଲିଉଡ ଅଭିନେତା ଅଭିମନ୍ୟୁ ସିଂଙ୍କ ଘରୁ ଚୋରି ମାମଲାରେ ଜଣକୁ ଗିରଫ କରିଛି ମୁମ୍ବାଇ ପୋଲିସ । ପୋଲିସ ଜଣକ ଗିରଫ କରିବା ସହିତ ଚୋରି ହୋଇଥିବା ଜିନିଷ ପ୍ରାୟ ୯୨% ଜବତ କରିଛି ।
ପୋଲିସ ମୁତାବକ, ଗତ ଡିସେମ୍ବର ୨୯ ତାରିଖରେ ଲୋଖଣ୍ଡୱାଲା ସ୍ଥିତି ମେଗନମ୍ ଟାୱାର ନିକଟରେ ବଙ୍ଗଳା ନମ୍ବର ୧୫ରେ ଚୋରି ହୋଇଥିଲା । ଚାଲାକ ଚୋର ବାଥରୁମର ଝରକା ସାହାଯ୍ୟରେ ଘରକୁ ପଶି ଆଲମିରାରେ ଥିବା ସମସ୍ତ ଜିନିଷକୁ ଚୋରି କରିନେଇଥିଲା । ଆଲମିରାରେ ସୁନା, ରୂପା ଏବଂ ହୀରା ଜିନିଷ ସହିତ ଟଙ୍କା ମଧ୍ୟ ରହିଥିଲା । ତେବେ ଚୋରି ହୋଇଥିବା ସମସ୍ତ ଜିନିଷର ଦାମ୍ ୧ କୋଟି ୩୭ ଲକ୍ଷ ୨୦ ହଜାର ବୋଲି କୁହାଯାଇଛି ।
ଘଟଣା ବିଷୟରେ ପୋଲିସ ନିକଟରେ ଅଭିଯୋଗ ହେବା ପରେ ଚୋରକୁ ପୋଲିସ ଖୋଜିଥିଲା । ବରିଷ୍ଠ ପୋଲିସ ଅଧିକାରୀ ଏବଂ ସହାୟକ ପୋଲିସ ଅଧିକାରୀମାନେ ଚୋରକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲେ । ଲଗାତାର ଦୁଇଦିନ ଯାଏଁ ଖୋଜାଖୋଜି କରାଯିବା ପରେ ଚୋରକୁ ଧରାଯାଇଥିଲା ।
ଚୋର ଜଣକ ନିଜ ଦୋଷ ସ୍ବୀକାର କରିଥିବା ବେଳେ ପୋଲିସକୁ ଚୋରି କରିଥିବା ଟଙ୍କା ଏବଂ ଜିନିଷ ଫେରାଇଥିଲା । ତେବେ ପୂର୍ବରୁ ଚୋର ନାମରେ ୧୪ଟି ଅପରାଧିକ ମାମଲା ରହିଛି । ପୋଲିସ ବିଏନଏସ୍ ଧାରା ଅନୁଯାୟୀ ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି ।
