ସଫଳତାର ଦୁଇ ଦଶନ୍ଧିରେ ନବୀନ ସରକାର

ଓଡିଶାର ଜନସାଧାରଣଙ୍କ ଆକୁଣ୍ଠ ସମର୍ଥନ ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡିକୁ ଶାସନ ଗାଦିରେ ବସାଇ ରଖିଛି। ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପାଞ୍ଚପାଞ୍ଚଥର ଦଳ ବୀଜୟ ହାସଲ ହୋଇଛି।  ତାଙ୍କ ବିକଳ୍ପର ବିରାଟ ଶୂନ୍ୟସ୍ଥାନ ଏବେ ଅପୂରଣୀୟ ।  ଗୋଟିଏ ଆଞ୍ଚଳିକ ଦଳ ଓ ଦଳୀୟ ନେତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଭାରତ ରାଜନୈତିକ ଇତିହାସରେ ବିରଳ ହୋଇ ରହିବ। ତାଙ୍କ ସ୍ୱଚ୍ଛ ଶାସନ ଓ ଓଡିଶାବାସୀଙ୍କୁ ଭଲ ପାଇବା ତାଙ୍କ ସଫଳ ଯାତ୍ରାର ଏକ ପ୍ରମୁଖ ଅଂଶ। ତାଙ୍କ ନେତୃତ୍ୱରେ ବିଜେଡି ଦଳ ଭାରତ ରାଜନୀତିରେ ଏକ ସ୍ୱତନ୍ତ୍ର  ସ୍ଥାନ ଅଧିକାର କରିଛି ।

ଠିକ୍ ୨୦ ବର୍ଷ ତଳେ ଆଜି ଦିନରେ ନବୀନ  ପଟ୍ଟନାୟକ ରାଜ୍ୟର ଶାସନ ଭାର ହାତକୁ ନେଇଥିଲେ । ସେଦିନ ଥିଲା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି । ବାପାଙ୍କ ଆର୍ଶିବାଦ ଓ ଓଡ଼ିଶାବାସୀଙ୍କ ଭଲପାଇବା ତାଙ୍କୁ ଏମିତି ବାନ୍ଧି ଦେଲା ଯେ ସେହିଦିନଠାରୁ ଆଉ ପଛକୁ ଫେରିନାହାନ୍ତି ନବୀନ । ପ୍ରତି ନିର୍ବାଚନରେ ଓଡିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ଅଦ୍ଭୂତପୂର୍ବ ସମର୍ଥନ ଦେଉଛନ୍ତି।

୧୯୯୭ ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡ଼ି ଦଳ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇସାରିଲାଣି । ଗୋଟିଏ ଦଳ, ଗୋଟିଏ ନେତୃତ୍ୱର ଏହା ଏକ ବିରଳ ସଫଳତା । ପ୍ରଥମ କରି ରାଜ୍ୟର ଶାସନ ଦାୟିତ୍ୱ ନେବା ବେଳେ ରାଜ୍ୟବାସୀଙ୍କୁ ଏହି ଆହ୍ୱାନ ଦେଇଥିଲେ ନବୀନ ପଟ୍ଟନାୟକ । ଯାହାକି କାର୍ଯ୍ୟରେ ଦେଖାଇବା ଆରମ୍ଭ କରିଥିଲେ । ୧୯୯୯ ମହାବାତ୍ୟାରେ ଉଜୁଡ଼ି ଯାଇଥିବା ଓଡ଼ିଶାର ପୁନଃନିର୍ମାଣ ହେଉ କି ରାଜ୍ୟକୁ ଋଣଯନ୍ତାରୁ ଉଦ୍ଧାର କରି ଅର୍ଥନୀତିକୁ ନୂଆ ଦିଶା ଦେବାରେ ନବୀନଙ୍କ ଉଦ୍ୟମକୁ ପ୍ରଶଂସା ମିଳିଲା । ପରବର୍ତ୍ତୀ ସମୟରେ ତାଙ୍କ ସରକାର ଦାରିଦ୍ର୍ୟ ଦୂରୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ଆରମ୍ଭ କଲେ । ଯାହାର ପ୍ରଥମ ସୋପାନ ଥିଲା ଭୋକ ମୁକ୍ତ ଓଡ଼ିଶା । ଏହି ଯୋଜନାରେ ଆରମ୍ଭ ହେଲା ଗରିବଙ୍କ ପାଇଁ ୨ ଟଙ୍କିଆ ଚାଉଳ ଓ ପରେ ଟଙ୍କିକିଆ ଚାଉଳ । ପରବର୍ତ୍ତୀ ସମୟରେ ଆହାର ଯୋଜନାରେ ୫ ଟଙ୍କା ଦେଇ ଲୋକ ଗୋଟେ ଓଳି ଖାଇବାକୁ ପାଇଲେ ।

ପ୍ରଶାସନକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଏବେ ରାଜ୍ୟ ପ୍ରଶାସନକୁ ଚଳଚଞ୍ଚଳ କରିଛି । ୫-ଟି ମନ୍ତ୍ର ଜରିଆରେ ସରକାରୀ ବାବୁ ଓ କର୍ମଚାରୀମାନଙ୍କୁ ଶୃଙ୍ଖଳା ଭିତରେ ବାନ୍ଧିବାକୁ ଚେଷ୍ଟା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଦକ୍ଷ ପ୍ରଶାସକ ଭି.କେ.ପାଣ୍ଡିଆନ୍ ଙ୍କୁ ଏହି ସ୍ୱତନ୍ତ୍ର ବିଭାଗର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଧରି ପାଣ୍ଡିଆନ୍ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅଭିଯାନ ଜାରି ରଖିଛନ୍ତି ।

ସେହିଭଳି ଦୁର୍ନୀତି ବିରୋଧରେ ସ୍ୱତନ୍ତ୍ର ପରିଚୟ ରଖିଥିବା ମୁଖ୍ୟମନ୍ତ୍ରୀ ଏଥର ଆହୁରି କଠୋର ହୋଇ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ୭ ମାସରେ ୭୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କରିବା ସହ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇ ମୁଖ୍ୟମନ୍ତ୍ରୀ ତାଙ୍କର ଆଭିମୁଖ୍ୟ ଜଣାଇ ଦେଇଛନ୍ତି । ଅନ୍ୟପକ୍ଷରେ ଓଡିଶା ମୋ ପରିବାର ଓ ମୋ ସରକାର ନବୀନ ସରକାରଙ୍କ ସବୁଠୁ ବଡ ପଦକ୍ଷେପ। ମୋ ସରକାର ବାସ୍ତବରେ ଏକ ଐତିହାସିକ ପଦକ୍ଷେପ।

ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେଉଛନ୍ତି କୃଷି ଓ କୃଷକ । ମୁଖ୍ୟମନ୍ତ୍ରୀ ଏହି କଥାକୁ ମୂଳରୁ ଭଲ ଭାବେ ବୁଝିଥିଲେ । ତେଣୁ କୃଷି ଓ କୃଷକର ଉନ୍ନତି ପାଇଁ ଅନେକ ଯୋଜନା ତିଆରି କଲେ । ସ୍ୱତନ୍ତ୍ର କୃଷି ବଜେଟ୍ ଓ କୃଷି କ୍ୟାବିନେଟ୍ ଗଠନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କଲେ । କୃଷି କ୍ଷେତ୍ରରେ ବିପ୍ଲବ ଆଣିବାରେ ମୁଖ୍ୟମନ୍ତ୍ରୀ ଅନବରତ ଉଦ୍ୟମ କରିଛନ୍ତି । ଗତ ୧୦ ବର୍ଷରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯୋଉଁଠି ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି । ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ବଳକା ରାଜ୍ୟ ହୋଇପାରିଛି ଓଡ଼ିଶା । କୃଷିର ବିକାଶ ପାଇଁ ଚାରି ଚାରି ଥର ଓଡ଼ିଶାକୁ ମିଳିଛି କୃଷି କର୍ମଣ ପୁରସ୍କାର । ଗତବର୍ଷ ପ୍ରଚଳନ କରାଯାଇଥିବା କୃଷକମାନଙ୍କ ପାଇଁ ‘କାଳିଆ’ ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି । ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞମାନେ ଏହି ‘କାଳିଆ’ ମଡ଼େଲ୍ କୁ ପ୍ରଶଂସା କରିଛନ୍ତି ।

ଶିକ୍ଷା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଗୁଡ଼ାଏ ଯୋଜନା ହାତକୁ ନେଇଛନ୍ତି । ଗରିବ, ନିରାଶ୍ରୟ ଲୋକଟି ସ୍ୱାସ୍ଥ୍ୟସେବାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ତାହାକୁ ଆଖିରେ ରଖି ନିରାମୟ, ନିଦାନ, ସହାୟ, ସମ୍ପୂର୍ଣ୍ଣ ସୁରକ୍ଷା କବଚ ଭଳି ଯୋଜନା କରାଯାଇଛି । ସ୍ୱାସ୍ଥ୍ୟସେବାକୁ ନିଶ୍ଚିତ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି । ୯ଟି ନୂଆ ମେଡ଼ିକାଲ କଲେଜ ସ୍ଥାପନ ହୋଇଛି । କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ସେହିଭଳି କୌଣସି ଶିଶୁ ଶିକ୍ଷାରୁ ଯେଭଳି ବଞ୍ଚିତ ନ ହୁଏ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଯତ୍ନବାନ ରହିଛନ୍ତି ।  

ଶିଳ୍ପାୟନ ଓ ଆଇଟି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବାରେ ନବୀନଙ୍କ କାର୍ଯ୍ୟଧାରା ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସୁବିଧା ଓ ସୁଯୋଗ ସୃଷ୍ଟି କରିବାର କଳା, କୌଶଳ ବିଦ୍ୟାରେ ସେ ଯେ ପାରଙ୍ଗମ ଏହା କାର୍ଯ୍ୟରେ ଦେଖାଇଛନ୍ତି । ଯେଉଁଥିପାଇଁ ଓଡ଼ିଶା ଆଜି ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । ଦୁଇବର୍ଷରେ ଥରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ ଜରିଆରେ ରାଜ୍ୟରେ ପୁଞ୍ଜି ନିବେଶ ବଢ଼ାଉଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ଓ କର୍ମନିଯୁକ୍ତି ପାଇଁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ୯ ଲକ୍ଷ ଯୁବପୀଢ଼ିଙ୍କୁ ସ୍କିଲଡ୍ ଓଡ଼ିଶାରେ ତାଲିମ ଦିଆଯାଇ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିବା ସରକାର ଦାବି କରିଛନ୍ତି ।

ନବୀନଙ୍କ ଦୁଇ ଦଶନ୍ଧୀର ଶାସନକାଳରେ ତାଙ୍କର କାର୍ଯ୍ୟଶୈଳୀ, ନିଷ୍ପତ୍ତି ଓ ଯୋଜନା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଯେଉଁଥିପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଯାଇଛି । ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ନ ରହିବା, ଅଳ୍ପ କଥା କହିବା, ଓଡ଼ିଆ କହି ନ ପାରିବା ଭଳି ତାଙ୍କ ବିରୋଧରେ ଅପପ୍ରଚାରକୁ ଲୋକ ଗ୍ରହଣ କରୁନାହାନ୍ତି କି ତାଙ୍କ ପ୍ରତି ବିମୁଖ ହୋଇନାହାନ୍ତି । ଓଲଟି ତାଙ୍କର ମାର୍ଜିତ ବ୍ୟବହାର, ଶୃଙ୍ଖଳିତ ଜୀବନ, ପ୍ରଶାସନରେ କଠୋର ଆଭିମୁଖ୍ୟ ଲୋକଙ୍କୁ ଅଧିକ ଆକର୍ଷିତ କରିଛି ।

ନବୀନଙ୍କ କ୍ରମାଗତ ସଫଳତା ପାଇଁ ଅନେକ ତାଙ୍କୁ ଭାଗ୍ୟଶାଳୀ ବୋଲି ଅଭିହିତ କରନ୍ତି । ନବୀନ ଏଯୁଗର ଜଣେ ବିସ୍ମୟ ବୋଲି ବି ଆଲୋଚନା କରନ୍ତି । ମଜ୍ଜାର କଥା, ଯେଉଁ ଲୋକମାନେ ଏଭଳି ଚର୍ଚ୍ଚା କରନ୍ତି ସେମାନେ କୁଆଡ଼େ ଆଗ ହିଁ ନବୀନଙ୍କୁ ଭୋଟ ଦିଅନ୍ତି । ସର୍ବୋପରି ନବୀନଙ୍କ ପ୍ରତି ଲୋକଙ୍କ ଅଗାଧ ବିଶ୍ୱାସ, ଭଲ ପାଇବା ତାଙ୍କ ଦଳ ବିଜେଡ଼ି ଓ ସରକାର ପାଇଁ ବଡ଼ ପୁଞ୍ଜି ।

 

Spread the love