ଯୌତୁକ ଜୁଇରେ ପୁଣି ଜଣେ ବଧୂ , ବାହାଘରର ୨ ବର୍ଷ ପରେ ମୃତ୍ୟୁ

ଭଦ୍ରକ: କେତେ ସ୍ବପ୍ନ କେତେ ଆଶା ନେଇ ଶାଶୂ ଘରେ ପାଦ ରଖିଥିଲେ ଲୁସି, ହେଲେ ସେ ସବୁ କିଛି ମଉଳି ଗଲା । ଭାବିଥିଲେ ଶାଶୂଘରେ ସମସ୍ତଙ୍କୁ ନିଜର କରି ହସ ଖୁସିରେ ସଂସାର କରିବେ । କିନ୍ତୁ କ୍ଷଣିକରେ ପରିବାର ଉପରେ ଖେଳିଗଲା ଦୁଃଖର କଳା ବାଦଲ । ଯୌତୁକ ପାଇଁ ସବୁବେଳେ ଝିଅକୁ ଦିଆଯାଉଥିଲା ନିର୍ଯାତନା । ବାହାଘରର ମାସ ପରେ ଲୁସିଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ଅତ୍ୟାଚାର । ଶାଶୂଘରର ଦାବି ଅନୁସାରେ ଟଙ୍କା ସୁନା ସବୁକିଛି ଦେଇଥିଲେ ଲୁସିଙ୍କ ପରିବାର ଲୋକେ । ହେଲେ ବାହାଘରର ୨ ବର୍ଷରେ ହିଁ ଶାଶୂ ଘରୁ ଉଠିଲା ଝିଅର କୋକେଇ । ଏବେ ନ୍ୟାୟ ଆଶାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଝିଅର ପରିବାର ଲୋକେ । ଅଧିକ ଯୌତୁକ ଦାବିରେ ଝିଅକୁ ଜୀବନରୁ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ଲୁସିଙ୍କ ମା’ ଓ ଭଉଣୀ । ଏପରିକି ଘଟଣାକୁ ନେଇ ପୂର୍ବରୁ ବାରମ୍ବାର ଥାନାର ଦ୍ୱାରସ୍ତ ହେବା ପରେ ମଧ୍ୟ ପୋଲିସ ଲୁସିଙ୍କ ପରିବାର ଲୋକଙ୍କ କଥା ବୁଝିନଥିଲା ବୋଲି କହିଛନ୍ତି ।

ଅଭିଯୋଗ ମୁତାବକ କେଉଁଝର ଜିଲ୍ଲା ଶୋସ ଥାନା ପଢ଼ିଆରୀପଲ୍ଲୀ ଗାଁର ମଧୁସୂଦନ ଦେଉରୀଙ୍କ ଝିଅ ଲୁସି ୨ ବର୍ଷ ତଳେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଆନ୍ଦୋଳା ଗାଁର ଉତ୍ତମ କୁମାର ବିଶ୍ୱାଳଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବେଳେ ବରପକ୍ଷ ଦାବି ମୁତାବକ ଯାନି ଯୌତୁକ ଦେଇଥିଲେ ମଧୁସୂଦନଙ୍କ ପରିବାର ଲୋକେ । କିନ୍ତୁ ବିବାହର ଏକ ମାସ ପରେ ଅଧିକ ଯୌତୁକ ଦାବି କରି ଲୁସିଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ । ଏପରିକି ଲୁସିଙ୍କ ସ୍ବାମୀ ଉତ୍ତମ ପୂର୍ବରୁ ଜଣେ ଯୁବତୀଙ୍କୁ ବିବାହ କରିଥିବା ମଧୁସୂଦନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଲୁସିଙ୍କ ସ୍ୱାମୀ ରାଜ୍ୟ ବାହାରେ କାମ କରୁଥିବାବେଳେ ଲୁସିଙ୍କ ଜୀବନ ଯିବା ପରେ ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଶ୍ବଶୁର ଘର ଲୋକେ । କିନ୍ତୁ ଏନେଇ ଲୁସିଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇନଥିଲା । ଏପରିକି ଲୁସିଙ୍କ ଦେଢ଼ ବର୍ଷର ପୁଅକୁ ମଧ୍ୟ ଦେଖା କରିବାକୁ ଦେଉନଥିବା ଲୁସିଙ୍କ ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଛନ୍ତି ଲୁସିଙ୍କ ଶ୍ବଶୁର ଘର ଲୋକେ । ଲୁସି ଜୀବନ ହାରିଥିବା କଥା କହିଛନ୍ତି ଶ୍ବଶୁର ନିରଞ୍ଜନ ବିଶ୍ୱାଳ ।

ତେବେ ଘଟଣାକୁ ନେଇ ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ମହିଳାଙ୍କ ବାପ ଘର ଲୋକେ ନ୍ୟାୟ ମାଗିଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Spread the love