ଇରାନରେ ଥମୁନି ଆନ୍ଦୋଳନ; ସେନାର ଧମକ; ଶିଶୁଙ୍କୁ ଗୁଳି ବାଜିଲେ ଅଭିଯୋଗ କରିବନି
୫୦ ବର୍ଷ ପରେ ଇରାନ ଫେରିବେ ରାଜା
ଯୋଗାଯୋଗ ବନ୍ଦ କରି ଚାଲିଛି ସାମୂହିକ ହତ୍ୟାକାଣ୍ଡ: ନୋବେଲ ବିଜେତା
ଇରାନ ସରକାରରେ ମତଭେଦ
ତେହରାନ : ଅହେତୁକ ଦରଦାମ ବୃଦ୍ଧି ଏବଂ ଟିକସ ବୋଝକୁ ବିରୋଧ କରି ଇରାନରେ ଆରମ୍ଭ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ଭୟଙ୍କର ରୂପ ଧାରଣ କରିଛି। ଏହା ହିଂସ୍ରକ ହୋଇ ସାରା ଦେଶକୁ ବ୍ୟାପି ଯାଇଛି। ମହଙ୍ଗା ମାଡ଼ରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମେ ରାଜନୈତିକ ରୂପ ନେଇଛି। ବିକ୍ଷୋଭକାରୀ ଦେଶରୁ ଇସଲାମିକ ଶାସନ ହଟାଇବା ପାଇଁ ଦାବି କରୁଥିବାବେଳେ ସରକାର ଦମନ ନୀତି ଚଳାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ସତ୍ତ୍ବେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲାହ ଅଲ୍ ଖାମନେଇ ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷାକର୍ମୀଙ୍କୁ ପଛଘୁଞ୍ଚା ନ ଦେବାକୁ କହିଛନ୍ତି। ଏପରି ସମୟରେ ରାତାରାତି ଇରାନର ସ୍ଥିତି ବଦଳି ଯାଇଛି। ଇରାନର ବିତାଡ଼ିତ ରାଜା ରେଜା ପହଲବି ସହର ପ୍ରମୁଖ କେନ୍ଦ୍ରଗୁଡ଼ିକୁ କବ୍ଜା ପାଇଁ ପ୍ରସ୍ତୁତ ରହିବାକୁ ଆନ୍ଦୋଳନକାରୀଙ୍କୁ ଆହ୍ବାନ ଦେଇଛନ୍ତି। ଶନିବାର ଏବଂ ରବିବାର ପ୍ରମୁଖ ସ୍ଥଳକୁ ଲକ୍ଷ୍ୟ ରଖି ଆନ୍ଦୋଳନକୁ ଜୋରଦାର କରିବାକୁ କହିଛନ୍ତି। ସେ ତେହେରାନ ଫେରିବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି। ମାତ୍ର ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ସୁରକ୍ଷାବାହିନୀ ସମସ୍ତ ପ୍ରକାରର ପ୍ରୟାସ କରୁଛି। ଗୁଳି ଚଳାଇ ଅନେକ ବିକ୍ଷୋଭକାରୀଙ୍କ ଜୀବନ ନେଇଛି। ଏ ପର୍ଯ୍ୟନ୍ତ ପୁଲିସ ଗୁଳିରେ ୨୧୭ ଜଣ ପ୍ରାଣ ହରାଇଲେଣି ବୋଲି ଦାବି କରାଯାଇଛି।
ବିଭିନ୍ନ ସ୍ଥାନରେ ସୁରକ୍ଷାବାହିନୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ତେଣୁ ମୃତ୍ୟୁସଂଖ୍ୟା ଅଧିକ ରହିଥିବା ଆଶଙ୍କା କରାଯାଉଛି। ତେହେରାନର ଏକ ଡାକ୍ତରଙ୍କ ଆଧାରରେ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ କେବଳ ରାଜଧାନୀର ୬ ଡାକ୍ତରଖାନାରେ ୨୧୭ ଜଣଙ୍କ ମୃତ୍ୟୁ ହୋଇଛି। ଗୁଳି ବାଜିବାରୁ ଅଧିକାଂଶ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ଗୁରୁବାର ରାତିରେ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ହୋଇଥିଲା। ଏହାକୁ ବନ୍ଦ କରିବା ପାଇଁ ପୁଲିସ ଗୁଳିମାଡ଼ କରିଥିଲା।
ଏହା ମଧ୍ୟରେ ରିଭୋଲ୍ୟୁସନାରୀ ଗାର୍ଡର ଜଣେ ଅଧିକାରୀ ସରକାରୀ ଟିଭି ଚ୍ୟାନେଲରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନରୁ ଶିଶୁଙ୍କୁ ଦୂରେଇ ରଖିବା ପାଇଁ ମାତାପିତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ନ କଲେ ଶିଶୁଙ୍କ ଦେହରେ ଗୁଳି ବାଜିଲେ ଅଭିଯୋଗ ନ କରିବାକୁ କହିଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରଥମେ ବିକ୍ଷୋଭକୁ ନେଇ ସରକାର କି ନୀତି ଆପଣାଇବେ ତାହା ସ୍ପଷ୍ଟ ହୋଇ ନ ଥିଲା। ଆଣ୍ଟି-ରାଇଟ୍ସ ପୁଲିସର ଜଣେ ଅଧିକାରୀ କହିଥିଲେ ଯେ ଏବେ ସୁରକ୍ଷାବାହିନୀ ଭ୍ରମରେ ରହିଛି। ଆଗାମୀ ଦିନରେ କ’ଣ ହେବ ତାହା କେହି ଜାଣି ନାହାନ୍ତି। ମାତ୍ର ଶୁକ୍ରବାର ଆନ୍ଦୋଳନକୁ ଦମନ କରିବା ପାଇଁ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରାଯିବ ବୋଲି ନିର୍ଦ୍ଦେଶ ଆସିଛି। ଏବେ ସାରା ଦେଶରେ ଇଣ୍ଟରନେଟ ଏବଂ ଫୋନ ସେବା ବନ୍ଦ ରହିଛି। ଏପରି ସମୟରେ ଇସଲାମିକ ଶାସନକୁ ବିରୋଧ ପାଇଁ ଯୁବ ପିଢି ନୂଆ ଧାରା ଆରମ୍ଭ କରିଛନ୍ତି। ସେମାନେ ସର୍ବୋଚ୍ଚ ନେତା ଏବଂ ୧୯୭୯ରେ ଇସଲାମିକ କ୍ରାନ୍ତି ଆରମ୍ଭ କରିଥିବା ଅୟାତୁଲାହ ଅଲ ଖାମନେଇଙ୍କ ଫଟୋ ଜାଳି ସେଥିରୁ ସିଗାରେଟ ଲଗାଇ ଫଟୋ ଛାଡୁଛନ୍ତି। କାରଣ ଇସଲାମିକ ଶାସନରେ ମହିଳାଙ୍କୁ ଅଧିକ ନିର୍ଯାତନା ଦିଆଯାଇଛି। ବୁର୍ଖା ନ ପିନ୍ଧିଲେ ଜେଲ୍ରେ ନେଇ ନିର୍ଯାତନା ଦିଆଯାଉଛି। ଏହି ନିର୍ଯାତନା ସହି ନ ପାରି ଅନେକ ମହିଳାଙ୍କ ଜୀବନ ମଧ୍ୟ ଯାଇଛି। ତେଣୁ ଲୋକେ ଇସଲାମିକ ଶାସନରୁ ମୁକ୍ତି ଚାହୁଁଛନ୍ତି। ମାତ୍ର ସରକାର ଦମନ ନୀତି ଆପଣାଉଥିବାରୁ ଆଗାମୀ ଦିନରେ ମୃତାହତଙ୍କ ସଂଖ୍ୟା ଅହେତୁକ ବଢ଼ିବ ବୋଲି କୁହାଯାଉଛି। ସେହିପରି ଇରାନ ନୋବେଲ ଶାନ୍ତି ପୁରସ୍କାର ବିଜେତା ଅଭିଯୋଗ କରିଛନ୍ତି ସରକାର ଯୋଗାଯୋଗ ବ୍ୟବସ୍ଥାକୁ ବନ୍ଦ କରି ସାମୂହିକ ହତ୍ୟାକାଣ୍ଡ ଚଳାଇଛନ୍ତି।
ପୂର୍ବରୁ ଇସ୍ରାଏଲ ସହ ସଂଘର୍ଷ, ଅନ୍ତର୍ଜାତୀୟ କଟକଣା, ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥା, ବିଦ୍ୟୁତ ଏବଂ ପାଣି ସଙ୍କଟର ଭଳି ସମସ୍ୟାର ଇରାନ ଜର୍ଜରିତ ହେଉଛି। ସରକାରଙ୍କ ଭିତରେ ମଧ୍ୟ ମତଭେଦ ରହିଛି। ରାଷ୍ଟ୍ରପତି ମାସୁଦ ପେଜସକିଆନ ନରମ ଆଭିମୁଖ୍ୟ ଗ୍ରହଣ କରୁଥିବାବେଳେ ତାଙ୍କର ଅନେକ ମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଅଛନ୍ତି।
