ସ୍ବାମୀ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ, ହୃଦଘାତରେ ହରାଇଲେ ପ୍ରାଣ
ଜଳେଶ୍ବର: ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି ସମସ୍ତେ । ଛାତି ଫଟାଇ କାନ୍ଦୁଛନ୍ତି ପରିବାରବର୍ଗ । ଘର ଆଗରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ହୋହାଲ୍ଲା ଶବ୍ଦରେ କମ୍ପି ଉଠୁଛି ସାରା ଅଞ୍ଚଳ । କାରଣ ସ୍ବାମୀର ଅନ୍ତେଷ୍ଟି କ୍ରିୟା ବେଳେ ଚାଲିଗଲା ସ୍ତ୍ରୀର ଜୀବନ । ହୃଦଘାତରେ ପ୍ରାଣ ହରାଇଲେ ସ୍ତ୍ରୀ । ସ୍ବାମୀ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି । ସ୍ବାମୀ ବିନା କେମିତି ଏକା ରହିବେ ଭାବି ଭାବି ଯନ୍ତ୍ରଣାରେ ଛଟପଟ୍ ହେଉଥିଲେ । ଘର ଲୋକଙ୍କ ଆଗରେ କୋହକୁ ଚାପି ଦେଉଥିଲେ ସିନା, କିନ୍ତୁ ମନ ଭିତରର କଷ୍ଟକୁ ସହି ପାରୁ ନଥିଲେ । ଆଉ ସ୍ବାମୀର ଅନ୍ତେଷ୍ଟି କ୍ରିୟା ଚାଲିଥିବାବେଳେ ହିଁ ସବୁଦିନ ପାଇଁ ସମସ୍ତଙ୍କୁ ପରକରି ଏ ଦୁନିଆରୁ ଚାଲିଗଲେ ମହିଳା ।
ଏମିତି ବି ଆସେ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଏକାବେଳକେ ଘରର ଦୁଇ-ଦୁଇ ଜଣଙ୍କ ମୃତ୍ୟୁ । ହସ ଖୁସିର ପରିବାର ଉପରେ ଯେମିତି କାହା ନଜର ଲାଗିଗଲା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାଲିସାହି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବାଲିସାହି ଗାଁର ଶ୍ରୀକଣ୍ଠ ମୈକାପ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ହୋଇ ଗତ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ । ଗତ ଜାନୁଆରୀ ୧୧ ତାରିଖରେ ଥିଲା ତାଙ୍କର ଅନ୍ତେଷ୍ଟି କ୍ରିୟା । ସେଥିପାଇଁ ସମସ୍ତ ପ୍ରକାର ଆୟୋଜନ ଶେଷ ହେବା ସହ ରୋଷେଇ ମଧ୍ୟ ସରିଥିଲା । ବନ୍ଧୁ ବାନ୍ଧବ ଠୁ ଆରମ୍ଭ କରି ସାହି ପଡିଶା ପର୍ଯ୍ୟନ୍ତ ସମସ୍ତେ ଘରକୁ ଆସିଥିଲେ । ମାତ୍ର ହଠାତ ସଂଧ୍ୟା ସମୟରେ ତାଙ୍କ ସ୍ତ୍ରୀ ସୁଲତାଙ୍କ ଛାତି ଯନ୍ତ୍ରଣା ହେଲା । ତାଙ୍କୁ ପ୍ରଥମେ ବସ୍ତା ହସ୍ପିଟାଲ ଓ ପରେ ଗୁରୁତର ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ସ୍ବାମୀର ଅନ୍ତେଷ୍ଟି କ୍ରିୟାରେ ସ୍ତ୍ରୀର ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ମୃତ୍ୟୁ ଅନିଶ୍ଚିତ । ମୃତ୍ୟୁ ଆସିବା ପୂର୍ବରୁ ନା ଦେଖେ ସମୟ ନା ଦେଖେ ସ୍ଥାନ । ମଣିଷ ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି ମୃତ୍ୟୁ । ଯିଏ ବି ଏ ଦୁନିଆକୁ ଆସିଛି ତାର ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁର ଏମିତି କିଛି ଭୟାନକ ଓ ଦୁଃଖଦାୟୀ ଘଟଣା ଆମ ସମସ୍ତଙ୍କୁ ସ୍ତବ୍ଧ କରିଦିଏ ।
