ଆଜିଠୁ କିଟରେ ଚେସ୍ ମହାକୁମ୍ଭ, ଆସନ୍ତା ୧୬ ଯାଏ ଚାଲିବ
ଭୁବନେଶ୍ୱର : ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ କିଟରେ ଅନୁଷ୍ଠିତ ହେବାକୁ ଯାଉଥିବା ଚେସ୍ ମହାକୁମ୍ଭରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଫିଡେର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କିଟ୍ ଓ କିସ୍ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାସହ ଅନ୍ତର୍ଜାତୀୟ ଚେସ୍ ସଂଘ ଓ ଭାରତୀୟ ଚେସ୍ ସଂଘର ପ୍ରତିନିଧିମାନେ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଆଜି ସାମାଜିକ ଏବଂ ଶିକ୍ଷାଗତ ଚେସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ତଥା ଚେସ୍ ମହାକୁମ୍ଭର ଉଦଘାଟନ ହେବ । ଅନ୍ତର୍ଜାତୀୟ ଚେସ୍ ସଂଘ ଓ ଭାରତୀୟ ଚେସ୍ ସଂଘ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍ର ଏହି ମହାକୁମ୍ଭରେ ଫିଡେର ସଭାପତି ତଥା ଋଷ୍ର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍, ଫିଡେର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ, ଫିଡେର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍, ଏଆଇସିଏଫ୍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍ଘାଟନ କରିବେ । ଉଭୟ କିଟ୍ କ୍ୟାମ୍ପସ୍ ଓ ହୋଟେଲ୍ ମେ’ ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଯୋଗ ଦେଉଛନ୍ତି । ମହାକୁମ୍ଭରେ ମୋଟ ୫ହଜାର ୨ଶହ ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
