ମକର ସଂକ୍ରାନ୍ତି; ଗୁଡ଼ି ଉଡ଼ାରେ ୧୭ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶବ୍ୟାପୀ ପ୍ରବଳ ଉତ୍ସାହରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଇଛି । ସକାଳୁ ଲକ୍ଷ ଲକ୍ଷ ଲୋକ ଗଙ୍ଗା, ଯମୁନା, ନର୍ମଦା ଭଳି ପ୍ରମୁଖ ନଦୀକୂଳରେ ପବିତ୍ର ବୁଡ଼ ପକାଇଛନ୍ତି । ପ୍ରୟାଗରାଜରେ ମାଘମେଳାର ମକର ସଂକ୍ରାନ୍ତି ସ୍ନାନ ଉତ୍ସବ ଥିଲା । ତ୍ରିବେଣୀ ସଙ୍ଗମରେ ସନ୍ଧ୍ୟା ସୁଦ୍ଧା ୯୧ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ଆଜି ପାଖାପାଖି ଦେଢ଼ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ପହଞ୍ଚିବା ଆଶା କରାଯାଉଛି । ଏହି ସଂକ୍ରାନ୍ତିରେ ଗୁଡ଼ି ଉଡାର ପରମ୍ପରା ରହିଛି । ଗୁଡ଼ି ଉଡାଇବା ଘଟଣାରେ ଦୁଇ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ଗୁଜରାଟରେ ୯, ରାଜସ୍ଥାନରେ ୬, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଜଣେ ଲେଖାଏ ଲୋକ ମୃତ୍ୟୁବରଣ କରିଛନ୍ତି । ଉତ୍ତରପ୍ରଦେଶର ବାରାଣାସୀ ଘାଟ ଓ ପଶ୍ଚିମବଙ୍ଗର ଗଙ୍ଗାସାଗରରେ ସ୍ନାନ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ପଞ୍ଜାବରେ ଅମୃତସରରେ ବହୁ ସଂଖ୍ୟାରେ ଲୋକ ସଚଖଣ୍ଡ ଶ୍ରୀ ଦରବାର ସାହିବରେ ବହୁ ସଂଖ୍ୟକ ଭକ୍ତ ବୁଡ଼ ପକାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମକର ସଂକ୍ରାନ୍ତ ଅବସରରେ ତାଙ୍କ ବାସଭବନରେ ଗାଇମାନଙ୍କୁ ଖାଦ୍ୟ ଖୁଆଇ ଥିଲେ। ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ମହାକାଳଙ୍କୁ ତିଳ ତେଲରେ ଅଭିଷେକ କରାଯାଇଥିଲା । ଭଷ୍ମ ଆରତୀରେ ତିଳ ଅର୍ପଣ କରାଯାଇଥିଲା ଓ ତିଳ ଲଡ଼ୁ ପ୍ରସାଦ ଭାବେ ଅର୍ପଣ କରାଯାଇଥିଲା ।
