ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ସ୍ୱାମୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଜଳେଶ୍ବର: କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ସ୍ୱାମୀ । ସେପଟେ ଶଙ୍ଖା ସିନ୍ଦୁରକୁ ବଞ୍ଚାଇବା ପାଇଁ ଠାକୁରଙ୍କ ନିକଟରେ ଦୀପ ଜାଳୁଛି ସ୍ତ୍ରୀ । କାନ୍ଦି କାନ୍ଦି ଏ ଦୁଆର ସେ ଦୁଆର ବୁଲି ବୁଲି ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଅର୍ଥ ଭିକ୍ଷା କରୁଛି । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଚାଷୀପଡା ଗାଁରେ । ଗାଁର ସତ୍ୟବ୍ରତ ରଣାଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି । କିଡନୀ ନଷ୍ଟ ହେବା ପରେ ଜୀବନ ମରଣ ସହିତ ସଂଗ୍ରାମ କରୁଛି ଘରର ଏକମାତ୍ର ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
ଡାକ୍ତର କହିଛନ୍ତି ଅସ୍ତ୍ରପଚାର କରି କିଡନୀ ପ୍ରତ୍ୟାରୋପଣ କଲେ ସତ୍ୟବ୍ରତ ଭଲ ହୋଇଯିବେ । କିନ୍ତୁ ସେଥିପାଇଁ ୧୮ ରୁ ୨୦ ଲକ୍ଷ ଟଙ୍କା ଦରକାର, ଯାହା ସତ୍ୟବ୍ରତଙ୍କ ପରିବାର ପକ୍ଷରେ ଅସମ୍ଭବ । ସତ୍ୟବ୍ରତ ପେଶାରେ ଜଣେ ମିଠା ମିସ୍ତ୍ରୀ । ସ୍ଥାନୀୟ ଅମର୍ଦାରୋଡ ବଜାରରେ ଜଳଖିଆ ଦୋକାନରେ ମିଠା ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରୁଥିଲେ । ସବୁ ସମୟରେ ନିଆଁ ଚୁଲି ପାଖାରେ ବସି କାମ କରୁଥିବାରୁ ରକ୍ତଚାପ ବଢିବାରେ ଲାଗିଲା । ତେଣୁ ସେ କାମ ଛାଡ଼ି ଗାଁ ଛକରେ ନିଜେ ଗୋଟିଏ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଧିରେ ଧିରେ ଉଚ୍ଚ ରକ୍ତ ଚାପ ସହିତ ଡାଇବେଟିସ ମଧ୍ୟ ବୃଦ୍ଧି ପାଇବାରେ ଲାଗିଲା । ଗତ ଅକ୍ଟୋବର ମାସରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସ୍ବାମୀଙ୍କୁ ନେଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ରୋଗର ଗୁରୁତ୍ୱକୁ ଦେଖି ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ନେଇଥିଲେ ଲକ୍ଷ୍ମୀପ୍ରିୟା । ମାତ୍ର ସେଠାରେ ଡାକ୍ତର ଯାହା କହିଲେ ପରିବାର ଲୋକଙ୍କ ପାଦତଳୁ ଯେମିତି ମାଟି ଖସି ଯାଇଥିଲା । ସତ୍ୟବ୍ରତଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଥିବାରୁ ଅପରେସନ କରିବା ସହିତ କିଡନୀ ପ୍ରତ୍ୟାରୋପଣ କରିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଯେଉଁଥିପାଇଁ ୧୮ ରୁ ୨୦ ଲକ୍ଷ ଟଙ୍କା ଆବଶ୍ୟକ ।
ସତ୍ୟବ୍ରତ ଜଣେ ଗରିବ ପରିବାରର । ଘରର ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନୁହେଁ । ଘରଡିହ ଛଡା ଜମିବାଡି କିଛି ନାହିଁ । ଏପରିସ୍ଥଳେ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ଚିକିତ୍ସାରେ ସବୁ ସମ୍ବଳ ସରିଗଲାଣି । ତେଣୁ ସ୍ୱାମୀଙ୍କ ଚିକିତ୍ସା ପାଇଁ ଖଟିବାରେ ଲାଗିଛନ୍ତି ସ୍ତ୍ରୀ ଲକ୍ଷ୍ମୀପ୍ରିୟା । ଶାଳ ପତ୍ର ସିଲେଇ କରି ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ଏବଂ ପରିବାରକୁ ବହୁ କଷ୍ଟରେ ଚଳାଉଛନ୍ତି ସ୍ତ୍ରୀ । ସେପଟେ ସ୍ବାମୀର ଅସ୍ତ୍ରୋପଚାର କରି କିଡନୀ ପ୍ରତ୍ୟାରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅବଶ୍ୟକ । ଯାହା ପାଇଁ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା ଅସମର୍ଥ । ତେଣୁ ଘର ଘର ବୁଲି ସହାୟତା ମାଗିବା ସହିତ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ସାହି ପଡିଶା ମଧ୍ୟ ନିଜ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ।
ସତ୍ୟବ୍ରତଙ୍କ ଏହି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଯଦି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାନ୍ତି ତେବେ ସତ୍ୟବ୍ରତଙ୍କ ଅସ୍ତ୍ରପଚାର ହୋଇପାରନ୍ତା । କେହି ସହାୟତା କରିବାକୁ ଚାହୁଁଥିଲେ ଏହି ଠିକଣାରେ ଟଙ୍କା ପଠାଇ ପାରିବେ ।
NAME-SATYABRATA RANA
BANK-STATE BANK OF INDIA
BRANCH-AMARDA ROAD
ACCOUNT NO-40332082332
IFSC CODE –SBIN0006420
Phone PAY – 9583789958
MOB – 9583789958
