ମଦ ପିଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କଲେ ଶିକ୍ଷକ
କାମାକ୍ଷାନଗର : ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ । ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ଉପସ୍ଥିତ ଶିକ୍ଷକଙ୍କୁ ମାରିବାକୁ ଉଠିଲେ । ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା ପାଲଟିଲା ରଣକ୍ଷେତ୍ର । ଢେଙ୍କାନାଳ ପରଜଙ୍ଗ ବ୍ଲକ କୁମୁସି ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ନିଶାସକ୍ତ ଅବସ୍ଥାରେ କର୍ମଶାଳା ପରିସରରେ ଆତଙ୍କ ସୃଷ୍ଟି କରିଥିଲେ କୁମୁସି ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର୍ଷଣ ପ୍ରଧାନ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
କୁମୁସି ଉଚ୍ଚ ବିଦ୍ୟାଳୟରେ ପାଞ୍ଚଦିନ ଧରି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ କର୍ମଶାଳା ଆୟୋଜିତ ହେଉଥିଲା । ଭାଗ ନେଇଥିଲେ ୫୦ ରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଶଙ୍କର୍ଷଣ ପ୍ରଧାନ ଅନ୍ୟ ଶିକ୍ଷକଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହିତ ମାରିବାକୁ ଉଦ୍ୟମ କରିଥିଲେ । କିଛି ସମୟ ପାଇଁ କର୍ମଶାଳା ପରିସରରେ ଆତଙ୍କ ସୃଷ୍ଟି କରିଥିଲେ । ଏପରିକି ଲୁହା ଖଣ୍ଡେ ହତା ଧରି ଆକ୍ରମଣ ଉଦ୍ୟମ କରିବା ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ସାଆନ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ ଶିକ୍ଷକ କାବୁ କରିଥିଲା । ଘଟଣାକୁ ନେଇ ଉକ୍ତ ଶିକ୍ଷକଙ୍କ ବିରୋଧରେ ପରଜଙ୍ଗ ଥାନାରେ ମାମଲା ରୁଜୁ ହୋଇଛି ।
