ଦୁର୍ଗା ଚାଳିଶା ପାଠ କରିବା ଦ୍ବାରା ବଢିବ ସୁଖ-ସମୃଦ୍ଧି, ଜାଣନ୍ତୁ ଏହାର ଲାଭ ଏବଂ ନିୟମ
ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ଚୈତ୍ର ନବରାତ୍ରର ମହାପର୍ବ ପାଳନ କରାଯାଏ । ଏହି ପବିତ୍ର ଦିନରେ ଲୋକମାନେ ଦୁର୍ଗାଙ୍କର ଅଲଗା ଅଲଗା ସ୍ବରୂପର ପୂଜାର୍ଚ୍ଚନା କରିଥାଆନ୍ତି । ବ୍ରତ ରଖନ୍ତି ଏବଂ ଦେବୀଙ୍କୁ ପ୍ରସନ୍ନ କରିବାକୁ ମଧ୍ୟ ବିଭିନ୍ନ ଉପାୟକୁ ଆପଣାଇ ଥାଆନ୍ତି । ଏହି ସମୟରେ କିଛି ଲୋକ ନିୟମିତ ଦୁର୍ଗା ଚାଳିଶା ପାଠ କରିଥାଆନ୍ତି । ନବରାତ୍ରରେ ଦୁର୍ଗାଙ୍କ ଚାଳିଶା ପାଠ କରିବା ଦ୍ବାରା ବ୍ରତ ଏବଂ ପୂଜାର ବହୁ ଗୁଣ ଅଧିକ ଫଳ ପାଇଥାଆନ୍ତି ବୋଲି ବିଶ୍ବାସ କରାଯାଏ । ଯଦି ଆପଣ ମଧ୍ୟ ନବରାତ୍ର ଦୁର୍ଗା ଚାଳିଶା ପାଠ କରିବାକୁ ଚାହୁଁଛନ୍ତି ତେବେ ଏହା ପୂର୍ବରୁ ଥରେ ଏହାର ଫାଇଦା ଏବଂ ନିୟମ ସମ୍ପର୍କରେ ଜାଣନ୍ତୁ ।
ଦୁର୍ଗା ଚାଳିଶା ପାଠ କରିବାର ଲାଭ :
ଦୁର୍ଗା ଚାଳିସା ପାଠ କରିବା ଦ୍ବାରା ଭକ୍ତଙ୍କୁ ମାନସିକ ଶାନ୍ତି ମିଳିଥାଏ । ଏହି ବ୍ୟକ୍ତି ନକରାତ୍ମକ ଶକ୍ତି କିମ୍ବା ଖରାପ ଶକ୍ତିଠାରୁ ଦୂରେଇ ରହିଥାଏ । ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ଏହା ଖୁବ୍ ପ୍ରଭାବଶାଳୀ ବୋଲି ମାନାଯାଇଥାଏ । ଏହା ପାଠ କରିବା ଦ୍ବାରା ଆତ୍ମ ବିଶ୍ବାସ ମଧ୍ୟ ବଢିଥାଏ । ସଫଳତାର ରାସ୍ତା ଖୋଲି ଯାଇଥାଏ । ଘରେ ସୁଖ- ସମୃଦ୍ଧିର ମଧ୍ୟ ଆଗମନ ହୋଇଥାଏ । ଏଥିସହିତ ବ୍ୟକ୍ତି ହରାଇଥିବା ସମ୍ମାନ ପୁଣି ଫେରି ପାଇଥାଆନ୍ତି । ଏହା ଲୋକମାନଙ୍କ ଛଳନା ଏବଂ ଅପବାଦ ଭଳି ଅନୈତିକ କାର୍ଯ୍ୟରୁ ମଧ୍ୟ ରକ୍ଷା କରିଥାଏ ।
ଦୁର୍ଗା ଚାଳିଶା ପାଠ କରିବାର ନିୟମ :
ଯେଉଁମାନେ ଦୁର୍ଗା ଚାଳିଶା ପାଠ କରନ୍ତି ସେମାନେ କିଛି ନିୟମ ପାଳନ କରିବା ଉଚିତ୍ । ସେମାନେ ତାମସିକ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ । ଏଥିସହିତ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହ ସାଂସାରିକ ସୁଖ ଏବଂ ପ୍ରଲୋଭନରୁ ଦୂରେଇ ରହିବା ଆବଶ୍ୟକ । ଦୁର୍ଗା ଚାଳିଶା ପାଠ କରିବା ସମୟରେ ସେମାନଙ୍କ ମନରେ କୌଣସି ଛଳନା, ଘୃଣା ରହିବା ଉଚିତ୍ ନୁହେଁ । ଯଦି ଆପଣ କାହାକୁ ଅତ୍ୟାଚାର କରୁଛନ୍ତି କିମ୍ବା ହଇରାଣ କରୁଛନ୍ତି, ତେବେ ଆପଣ ଦୁର୍ଗା ଚାଳିଶା ପାଠ କରିବାର ଲାଭ ପାଇବେ ନାହିଁ । ଏହି ପାଠ କରିବା ଦ୍ବାରା ଶରୀର ଏବଂ ମନକୁ ଶାନ୍ତି ଦେଇଥାଏ ।
