ବିନା ଦର୍ଶକରେ ଖେଳାଯିବ ପିଏସ୍‌ଏଲ୍‌, ପିସିବିକୁ ପେଟ୍ରୋଲ ମାଡ଼

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ଏବଂ ଏଥିନେଇ ସୃଷ୍ଟି ହୋଇଥିବା ତୈଳ ତଥା ସୁରକ୍ଷା ସଙ୍କଟର ପ୍ରଭାବ ପାକିସ୍ତାନର ଘରୋଇ କ୍ରିକେଟ୍‌ ଲିଗ୍‌ ଉପରେ ପଡ଼ିଛି । ଗୋଟିଏ ପଟେ ଏହି ପେସାଦାର ଟ୍ବେଣ୍ଟି-୨୦ ଲିଗ୍‌ରୁ ଜଣେ ପରେ ଜଣେ ତାରକା ଖେଳାଳି ଓହରି ଚାଲିଥିବା ବେଳେ ଅନ୍ୟପଟେ ଏହାକୁ କେମିତି ଓ କିଭଳି ଭାବେ ଆୟୋଜନ କରିବ ସେ ଚନ୍ତା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ଘାରିଛି । ସେଥିପାଇଁ ଏବର୍ଷ ଏହାକୁ ମାତ୍ର ଦୁଇଟି ସହରରେ ସୀମିତ ରଖିବା ଏବଂ ବିନା ଦର୍ଶକରେ ବନ୍ଦ ଦ୍ବାର ଭିତରେ ଆୟୋଜନ କରିବାକୁ ଯାଉଛି ପିସିବି । ପିଏସ୍‌ଏଲ୍‌ ପୂର୍ବରୁ ୬ଟି ସହର ଯଥା ମୁଲତାନ, ପେଶାୱର, ଫୈଶଲାବାଦ, କରାଚି, ରାୱଲପିଣ୍ଡି ଓ ଲାହୋରରେ ଖେଳାଯାଉଥିଲା । ଏବର୍ଷ କେବଳ କରାଚି ଓ ଲାହୋରରେ ଖେଳହେବ । ହେଲେ ଏହାର ସୂଚୀରେ କୌଣସି ପରିବର୍ତ୍ତନ କରାଯିବନି ।ପିସିବିର ଜଣେ ଅଧିକାରୀ କହିଛନ୍ତି ଯେ ଦେଶରେ ଏବେ ପେଟ୍ରୋଲ, ଡିଜେଲର ଘୋର ଅଭାବ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଆମେ କେବଳ ଦୁଇଟି ସହର ମଧ୍ୟରେ ଖେଳାଳିଙ୍କ ଗମନାଗମନକୁ ସୀମିତ ରଖିବାକୁ ଚାହୁଛୁ । ସେପଟେ ପିଏସ୍‌ଏଲ୍‌ର ବହୁ ବିଦେଶୀ ଖେଳାଳି ଆଇପିଏଲ୍‌ରେ ଯୋଗ ଦେଉଥିବାରୁ ପିସିବି ମୁଖ୍ୟ ମୋହସନ ନକ୍‌ଭୀ ଏଥିଲାଗି ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଯେଉଁ ଖେଳାଳିମାନେ ପିଏସ୍‌ଏଲ୍‌ସେହ ଚୁକ୍ତି କରି ଆଇପିଏଲ୍‌କୁ ଚାଲି ଯାଉଛନ୍ତି ସେମାନଙ୍କ ବିରୋଧରେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଚେତାବନୀ ଦେଇଛନ୍ତି ସେ ।

Spread the love