ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଚାଲିଛି ପ୍ରବେଶିକା ପରୀକ୍ଷା ଆବେଦନ : ଫାଙ୍କା ପଡ଼ିଛି ଶହ ଶହ ପ୍ରଫେସର ପଦ

ଉଚ୍ଚଶିକ୍ଷା ବିଭାଗରେ ଅବ୍ୟବସ୍ଥା। ବର୍ଷ ପରେ ବର୍ଷ ବିତୁଛି। ହେଲେ ଶେଷ ହୋଇପାରୁନି କୂଳପତି ନିଯୁକ୍ତି ପ୍ରକ୍ରିୟା। ବର୍ଷେ ତଳେ ଏକକାଳୀନ ୧୩ଟି ବିଶ୍ୱବିଦ୍ୟାଳୟ କୂଳପତି ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନେଇ ୩ଶହରୁ ଅଧିକ ପ୍ରଫେସର ଆବେଦନ ବି କରିଥିଲେ। ସ୍ୱତନ୍ତ୍ର ସାକ୍ଷାତକାର ପରେ ପ୍ରତି ବିଶ୍ୱବିଦ୍ୟାଳୟ ପାଇଁ ୩ଟି ଲେଖାଏଁ ନାଁ ଚୟନ କରାଯାଇଛି। ହେଲେ ଏବେ ସୁଦ୍ଧା କୂଳପତି ଚୟନ ହୋଇପାରୁନାହାନ୍ତି । ଏପଟେ ଠପ ହେଲାଣି ବିଶ୍ୱବିଦ୍ୟାଳୟ ବିକାଶମୂଳକ କାମ। ନା ଅଛନ୍ତି ରେଗୁଲାର ପ୍ରଫେସର ନା ସହକାରୀ ପ୍ରଫେସର। କାରଣ ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୂଳପତି। କେଉଁଠି କାମଚଳା ତ ଆଉ କେଉଁଠି ଭାରପ୍ରାପ୍ତ କୂଳପତିଙ୍କ ଭରସାରେ ଚାଲିଛି ବିଶ୍ୱବିଦ୍ୟାଳୟ। ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟର ସ୍ଥିତି କିଛି ଏମିତି। ଗତବର୍ଷ ଜୁନ ମାସରେ ଏକକାଳୀନ ୧୩ଟି ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ୧୩ ବିଶ୍ୱବିଦ୍ୟାଳୟ ପାଇଁ ସାଢେ ୩ଶହରୁ ଅଧିକ ପ୍ରଫେସର ଆବେଦନ କରିଥିଲେ। ଲକ୍ଷ୍ୟ ଥିଲା ନୂଆବର୍ଷରେ ବିଶ୍ୱବିଦ୍ୟାଳୟକୁ ମିଳିବ ନୂଆ କୂଳପତି। ହେଲେ ଜାନୁଆରି ଯାଇ ମାର୍ଚ୍ଚ ସରିବାକୁ ବସିଲାଣି। ଏବେ ଯାଏଁ ବି ସରିଲାନି ନିଯୁକ୍ତି ପ୍ରକ୍ରିୟା । ଫଳରେ ବିଶ୍ବବିଦ୍ୟାଳୟରେ କୌଣସି ବିକାଶମୂଳର କାମ ହୋଇପାରୁନଥିବା ଛାତ୍ର ଅଭିଯୋଗ କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ, ପ୍ରତି ବିଶ୍ୱବିଦ୍ୟାଳୟ ପାଇଁ ୩ଟି ଲେଖାଏଁ ନାଁ ଚୟନ କରାଯାଇଛି। ଚୟନ ହୋଇଥିବା ପ୍ରଫେସରଙ୍କ ନାମରେ କୌଣସି ଦୁର୍ନିତୀ ଅଭିଯୋଗ ରହିଛି କି ନାଁ ସେ ନେଇ ଭିଜିଲାନ୍ସ ବିଭାଗରୁ ତଥ୍ୟ ମଗାଯାଇଛି। ତାହା ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆଗେଇବ ବା ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ହେଲେ ଏଠି ପ୍ରଶ୍ନ ଉଠୁଛି, କେବେ ସରିବ ନିଯୁକ୍ତି ପ୍ରକ୍ରିୟା? କେବେ ପୂରଣ ହେବ ଖାଲିଥିବା ଅଧ୍ୟାପକ ପଦ?

୧୭ଟି ବିଶ୍ଵବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡିଛି। ସେହିପରି ୪୬୧ ଆସୋସିଏଟ୍ ପ୍ରଫେସର ଓ ୨୬୪ ପ୍ରଫେସର ପଦ ଏଯାଏଁ ପୂରଣ କରିପାରି ନାହାନ୍ତି ସରକାର। ଅଣଶିକ୍ଷକ ନିଯୁକ୍ତି ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୩୨୫ ଅଣଶିକ୍ଷକ ପଦ ପୂରଣ କରିବା ବାକି ପଡ଼ିଛି।

Spread the love