ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ପାଇଁ ବିଛା ଯାଉଛି ୯୦୦ ମିମିର ପାଇପ୍: ଶେଷ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରେ ଗତ ରବିବାର ଠାରୁ ଫସି ରହିଥିବା ୪୦ ଶ୍ରମିକ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରି ନାହାନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ଯଥାସାଧ୍ୟ ଉଦ୍ୟମ ଚଳାଇଛି। ଉଦ୍ଧାରକାରୀ ଦଳ ଏବେ ସୁଡ଼ଙ୍ଗ ମଧ୍ୟରେ ୯୦୦ ମିମିର ପାଇପ୍ ବିଛାଇ ଫସି ରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚଳାଇଛି। ମଙ୍ଗଳବାର ଉଦ୍ଧାର କାର୍ଯ୍ୟ ତୃତୀୟ ଦିନରେ ପହଞ୍ଚିଛି। ଟ୍ରକ୍ ଜରିଆରେ ଲୁହା ପାଇପ୍ ଏବଂ ଡ୍ରିଲିଂ ମେସିନ ଆସି ସୁଡ଼ଙ୍ଗ ନିକଟରେ ପହଞ୍ଚିଛି। ଭଙ୍ଗାରୁଜା ଅଂଶ ଦେଇ ପାଇପ୍ ଯେଭଳି ଶ୍ରମିକଙ୍କ ନିକଟରେ ସମାନ୍ତରାଳ ଭାବେ ପହଞ୍ଚିବ ସେଥିପାଇଁ କାର୍ଯ୍ୟ ଜାରି ରହିଛି। ଶ୍ରମିକମାନେ ବାହାରକୁ ଆସିବା ପାଇଁ ଉକ୍ତ ୯୦୦ ମିମିର ପାଇପ୍ ସହାୟକ ହେବ ବୋଲି ଆଶା ରଖାଯାଇଛି। ଉଦ୍ଧାରକାରୀ ଦଳ ସମେତ ସମସ୍ତ ଉପକରଣ ଏବଂ ଯନ୍ତ୍ରାଂଶ ଦୁର୍ଘଟଣାସ୍ଥଳରେ ପହଞ୍ଚି ସାରିଛି। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଘଟଣାସ୍ଥଳରେ ସୋମବାର ରାତିରୁ ଜଳସେଚନ ବିଭାଗର ଅଧିକାରୀମାନେ ପହଞ୍ଚିଛନ୍ତି।
ଉତ୍ତରକାଶୀର ବରିଷ୍ଠ ପୁଲିସ ଅଧିକାରୀ ଅର୍ପଣ ଯଦୁବଂଶୀ କହିଛନ୍ତି ଯେ ୬୦ ମିଟରର ଭଙ୍ଗାରୁଜା ଅଂଶ ମଧ୍ୟରୁ ୨୦ ମିଟରରୁ ଅଧିକ ରାସ୍ତା ସଫା କରାଯାଇଛି। କାଲି ସୁଦ୍ଧା ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯିବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି। ଫସି ରହିଥିବା ଲୋକମାନଙ୍କ ନିକଟକୁ ଖାଦ୍ୟ, ପାଣି ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ମେସିନର ବ୍ୟବହାର କରାଯାଉଛି। ଉତ୍ତରକାଶୀର ବରିଷ୍ଠ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାରଙ୍କ କହିବାନୁଯାୟୀ, ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ଏସଡିଆରଏଫ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ଉଦ୍ଧାରକାରୀ ଟିମ୍ ଫସିଥିବା ଶ୍ରମିକଙ୍କ ସହ ରେଡିଓ ମାଧ୍ୟମରେ କଥା ହୋଇଛନ୍ତି। ଜଣେ ବରିଷ୍ଠ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ରଞ୍ଜିତ କୁମାର ସିହ୍ନାଙ୍କ କହିବାନୁଯାୟୀ, ଫସି ରହିଥିବା ସୁଡ଼ଙ୍ଗରେ ଶ୍ରମିକମାନଙ୍କ ପାଇଁ ୫ରୁ ୬ ଦିନ ପର୍ଯ୍ୟନ୍ତ ଆବଶ୍ୟକ ଅମ୍ଳଜାନ ରହିଛି।