ପଶ୍ଚିମବଙ୍ଗରେ ଥମିବାର ନାମ ନେଉନାହିଁ ନିର୍ବାଚନୀ ହିଂସା, ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡରେ ଜଣଙ୍କର ମୃତ୍ୟୁ

କୁଚବିହାର: ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବ । ତେବେ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଯେମିତି ଜୋରଦାର ହୋଇଛି ସେମିତି ରାଜନୈତିକ ହିଂସାକାଣ୍ଡ ମଧ୍ୟ ବଢ଼ିବାରେ ଲାଗିଛି | ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବନ୍ଦ ହେବାର ନାମ ନେଉନାହିଁ। ପ୍ରତିଦିନ ହିଂସାତ୍ମକ ସଂଘର୍ଷ ବଢ଼ିବାରେ ଲାଗିଛି। ଏହି ଘଟଣାକୁ ରୋକିବାରେ ପୁଲିସ ଏବଂ ପ୍ରଶାସନ ବିଫଳ ହୋଇଛି। ବିଶେଷ କରି ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ହିଂସା ସେତେ ବଢ଼ିବାରେ ଲାଗିଛି |

ଆଜି ସକାଳେ କୁଚବିହାରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ ଆଜି ସକାଳେ କୁଚବିହାରର ଗୀତାଲଡାହାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ମଧ୍ୟ ଗୁଳିବିନିମୟ ହୋଇଥିଲା ଏବଂ ଗୁଳିମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି |

ଏନେଇ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ପୁଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଥିବାବେଳେ ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏହି ଅଞ୍ଚଳଟି ବାଂଲାଦେଶ ସୀମାଠାରୁ ଖୁବ ନିକଟରେ ହୋଇଥିବାବେଳେ ଆଶଙ୍କା କରାଯାଉଛି ଯେ ସ୍ଥାନୀୟ ନେତାମାନେ ବାଂଲାଦେଶରେ ରହୁଥିବା ଅପରାଧୀଙ୍କୁ ନିୟୋଜିତ କରି ଏହି କାଣ୍ଡ ଭିଆଇଛନ୍ତି | ପୁଲିସ ଏବେ ଘଟଣାର ତଦନ୍ତ ଜାରି ରଖିଛି।

Spread the love