ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନାରେ ବିଶାଳ ଶୋଭାଯାତ୍ରା

ବାଜୁଥିଲା ବାଜା, ଜଳୁଥିଲା ରୋଷଣୀ। ଆଗରେ ବିଶାଳ ଶୋଭାଯାତ୍ରା। ଏ କେଉଁ ବିବାହ କିମ୍ବା ଉତ୍ସବ ନୁହେଁ। ଜଣେ ଶିକ୍ଷକଙ୍କୁ ଏଭଳି ବିଶାଳ ଶୋଭାଯାତ୍ରାରେ ବିଦାୟ ଦେଇଛନ୍ତି ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକ ସୁନାରୁଇ ଗଦାଧର ଗିରି ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନ ଅବସର ନେବା ପରେ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ଏଭଳି ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି। ଦୀର୍ଘ ୧୦ କିମି ବାଟ ବାହାରିଥିଲା ଶୋଭାଯାତ୍ରା।

କେହି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିଲା ତ ଆଉ କିଏ କୁଣ୍ଢେଇ ଧରି ଥିଲା। ସାରଙ୍କୁ ବିଦାୟ ଦେବା ବେଳାରେ ସୃଷ୍ଟି ହୋଇଥିଲା ଭାବବିହ୍ଵଳ ପରିବେଶ। ସ୍କୁଲରେ ୩୯ବର୍ଷ କାଳ ଶିକ୍ଷକତା କରି ଅବସର ନେଇଛନ୍ତି ନିରଞ୍ଜନ ପ୍ରଧାନ। ଏହି ସ୍କୁଲ ପରିସରରେ ବିଦାୟକାଳୀନ ସଭାରେ ତାଙ୍କୁ ପୂଜାର୍ଚ୍ଚନା କରିବା ସହ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ପରେ ନିରଞ୍ଜନ ସାରଙ୍କୁ ରଥରେ ବସାଇ ବିଦାୟ ଦେଇଥିଲେ।

Spread the love