ରେଳ ସାଇଡିଂରେ ପଡ଼ିରହିଛି ଏକଲକ୍ଷ ଟନ୍‌ ଲୁହାପଥର

ଯୋଡ଼ା : କେନ୍ଦ୍ର ସରକାରଙ୍କ ଆଇବିଏମ୍‌ର ଖଣିଜ ସଂରକ୍ଷଣ ନୀତି ଅସ୍ପଷ୍ଟ ଥିବାରୁ ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ରେଳସାଇଡିଂରେ ଗଚ୍ଛିତ ଥିବା ମୂଲ୍ୟବାନ ଲୁହାପଥର ପଡ଼ିରହିଛି। ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ରେଳସାଇଡିଂରେ ଏକଲକ୍ଷ ଟନ୍‌ ଲୁହାପଥର ଦୀର୍ଘ ୧୦ବର୍ଷ ହେବ ପଡ଼ିରହିଛି। ଲୁହାପଥର ପରିବହନ ପାଇଁ ରେଳବାଇ ଅତ୍ୟଧିକ ଜରିମାନା ମାଗୁଥିବାରୁ ଏହା ପଡ଼ିରହି କାମରେ ଲାଗିପାରୁନି।

ଖଣି ବିଭାଗର ସୂଚନା ଅନୁଯାୟୀ, ୨୦୦୯-୧୦ ଆର୍ଥିକ ବର୍ଷରେ ଏହି ବିପୁଳ ପରିମାଣର ଲୁହାପଥର ବିଭିନ୍ନ ରେଳସାଇଡ଼ିଂରେ ପରିବହନ ପାଇଁ ଗଚ୍ଛିତ ଥିଲା। ଜଷ୍ଟିସ ଏମ୍‌ବି ଶାହା କମିସନ ଓ ପରବର୍ତ୍ତୀ ସମୟରେ ସେଣ୍ଟ୍ରାଲ ଏମ୍‌ପାୱାରଡ କମିଟିର ଗସ୍ତ ବେଳେ ଏସବୁ ଲୁହାପଥରର ନଥିପତ୍ର ଯାଞ୍ଚ ହୋଇଥିଲା। ଆବଶ୍ୟକ ଦସ୍ତାବିଜ ଦେଖାଇବାରେ ବ୍ୟବସାୟୀମାନେ ଅସମର୍ଥ ହେବାରୁ ଏସବୁ ଲୁହାପଥର ପରିବହନ ହୋଇନପାରି ପଡ଼ି ରହିଥିଲା। ଏବେ ଏହି ଲୁହାପଥରର ଦାବିଦାରମାନେ ଆବଶ୍ୟକ ନଥିପତ୍ର ନେଇ ଖଣି ବିଭାଗ ପାଖକୁ ଆସୁଛନ୍ତି। ତେବେ ବର୍ଷବର୍ଷ ଧରି ରେଳସାଇଡିଂରେ ଲୁହାପଥର ପଡ଼ିଥିବାରୁ ରେଳବାଇ ଉକ୍ତ ସ୍ଥାନର ଜରିମାନା ଦାବି କରୁଛି। ଯାହା ଅତ୍ୟନ୍ତ ବ୍ୟୟବହୁଳ ହେଉଥିବାରୁ ଲୁହାପଥର ପରିବହନ ହୋଇପାରୁ ନାହିଁ। ଫଳରେ ଏସବୁ ସ୍ଥାନରୁ ଲୁହାପଥର ଚୋରି ହେବାରେ ଲାଗିଛି।

ସେହିପରି ଲୁହାପଥର ପରବହନ ହୋଇ ନପାରିବାର ଅନ୍ୟ ଏକ କାରଣ ହେଉଛି କେନ୍ଦ୍ର ସରକାରଙ୍କ ଆଇବିଏମ୍ (ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ)ର ଅସ୍ପଷ୍ଟ ଖଣିଜ ସଂରକ୍ଷଣ ଓ ବିକାଶ ନୀତି। ଯାହାଦ୍ବାରା ଯୋଡ଼ା ଖଣି ମଣ୍ଡଳର ବିଭିନ୍ନ ରେଳସାଇଡିଂରେ ପଡ଼ିଥିବା ଲୁହାପଥର ପରିବହନ ହୋଇପାରୁ ନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ରେଳବାଇ, ଆଇବିଏମ୍ ଓ ଖଣି ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଗଚ୍ଛିତ ଥିବା ଲୁହାପଥର ପରିବହନ ପାଇଁ ରାସ୍ତା ଫିଟିପାରୁ ନଥିବା କୁହାଯାଉଛି।

ଏ ସମ୍ପର୍କରେ ବାଂଶପାଣି ଷ୍ଟେସନ ମ୍ୟାନେଜର ଦିବାକର ଚନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ, ରେଳସାଇଡିଂରେ ଡମ୍ପ ଆଣ୍ଡ ଲୋଡିଂ ଅର୍ଥାତ ଖଣିରୁ ଟ୍ରକ୍‌ରେ ଖଣିଜ ପରିବହନ ହୋଇ ରେଳସାଇଡିଂରେ ପଡ଼ିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ରେଳଡବାରେ ବୋଝେଇ ହେବାର ନିୟମ ରହିଛି। ରେଳସାଇଡିଂରୁ ଅଧିକ ଦିନ ଧରି ଖଣିଜ ଗଚ୍ଛିତ ହୋଇ ରହିଲେ ରେଳବାଇ ଜରିମାନା କରିଥାଏ। ପ୍ରତିଦିନ ୱାଗନ ପିଛା ୧୭୫ଟଙ୍କା ହିସାବରେ ଜରିମାନା ଲାଗିବ। ଯୋଡ଼ା ଖଣି ମଣ୍ଡଳର ବଡ଼ବିଲ, ବଲାଣି, ଜୁରୁଡ଼ି, ଦେଓଝର, ବାଂଶପାଣି, ନୟାଗଡ଼, ବିଲକୁଣ୍ଡି ରେଳସାଇଡିଂରେ ଏକଲକ୍ଷ ଟନ୍‌ରୁ ଊର୍ଦ୍ଧ୍ବ ଲୁହାପଥର ଦଶବର୍ଷ ହେଲା ଗଚ୍ଛିତ ହୋଇ ରହିଥିବା ଯୋଡ଼ା ଖଣି ମଣ୍ଡଳର ଉପନିର୍ଦେଶକ ଦିନେଶ ଅଗ୍ରୱାଲ କହିଛନ୍ତି। ଯଦି ରେଳବାଇ ଜରିମାନା ଆଦାୟ କରେ ତେବେ ଲୁହାପଥର ମୂଲ୍ୟଠାରୁ ଜରିମାନା ରାଶି ଅଧିକ ହୋଇଯିବ ବୋଲି କୁହାଯାଉଛି।

Spread the love