ପହଣ୍ଡି ବେଳେ ବଡ଼ ଅଘଟଣ, ପଡ଼ି​ଗଲେ ମହାବାହୁ

ପୁରୀ : ଆଡ଼ପ ପହଣ୍ଡିରେ ଆଜି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ପହଣ୍ଡି ବେଳେ ଚାର ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଡାହାଣ ପାର୍ଶ୍ବକୁ ପଡ଼ିଯିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଏହି ଅଘଟଣ ପାଇଁ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ଚିତା ବି ଖସିପଡ଼ିଛି। ଏହା ଭକ୍ତଙ୍କ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। କେହି କେହି ସେବକଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଅନ୍ୟପଟେ ଏହି ଘଟଣା, କେବଳ ଆଜି ଘଟନି, ରଥଯାତ୍ରାରେ ବି ସମାନ ଅଘଟଣ ଘଟିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଚାରମାଳ ଉପରେ ଯିବାବେଳେ ଡାହାଣ ପାର୍ଶ୍ବକୁ ମାଡ଼ି ହୋଇ ପଡ଼ିଯାଇଥିଲେ। ଏଥିରେ କିଛି ସେବକ ବି ଚାରରୁ ଖସି ପଡ଼ିଥିଲେ।

ଗୁରୁବାର ଦିନ ପ୍ରଥମେ ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଦୁଇ ଦେବଦେବୀଙ୍କ ପହଣ୍ଡି ସୁରୁଖୁରୁରେ ଶେଷ ହୋଇଥିଲା। କିନ୍ତୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ଏଭଳି ଅଘଟଣ ଦେଖିବାକୁ ମିଳିଥିଲା।

ଠାକୁରଙ୍କ ରଥର ସିଂହାସନରୁ ଓହ୍ଲାଇବା ପରେ ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ ଠାକୁର ଚାରମାଳ ଉପରକୁ ଓହ୍ଲାଇଛନ୍ତି କି ନାହିଁ, ଡାହାଣ ପାର୍ଶ୍ବକୁ ମୁହଁ ମାଡ଼ି ହୋଇ ପଡ଼ିଯାଇଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ସତ, କିନ୍ତୁ ଏହା ସମ୍ଭବ ହୋଇନଥିଲା। ମହାପ୍ରଭୁ ଚାରରୁ ତଳକୁ ଆସିଲା ବେଳକୁ ସିଧା ହୋଇ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। ଉପସ୍ଥିତ ଭକ୍ତମାନେ କହିଛନ୍ତି, ନିକଟ ଅତିତରେ ଏଭଳି ଅଘଟଣ ଘଟିନଥିଲା। ଚଳିତ ଥର ରଥଯାତ୍ରାରେ ପହଣ୍ଡି ବେଳେ ଏହି ଅଘଟଣ ଘଟିଲା। ଏବେ ଆଡ଼ପ ପହଣ୍ଡି ବେଳେ ଅଘଟଣର ପୁନରାବୃତ୍ତି ଘଟିଛି। ଏହା ଗଭୀର ଆଘାତ ଦେଇଛି। ମହାପ୍ରଭୁଙ୍କୁ ପହଣ୍ଡି ବେଳେ ଏଭଳି କାହିଁକି ଘଟିଲା, ତାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଭକ୍ତ ମହଲ ଦାବି କରିଛନ୍ତି।

ଏ ସଂପର୍କରେ ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ବର୍ଷା ଯୋଗୁଁ ଆଜି ଚାର ଓଦା ରହିଥିଲା। ଯେଉଁଥିପାଇଁ ଚାରରେ ଚଢ଼ିବା ଓ ଓହ୍ଲାଇବା ବେଳେ ଗୋଡ଼ ଖସୁଥିଲା। ପହଣ୍ଡି ବେଳେ ବି ଚାରରେ ଗୋଡ଼ ଖସିଯିବାରୁ ଏଭଳି ଘଟିଥିଲା। ଅନ୍ୟପଟେ ରଥ ଉପରେ ବହୁ ସଂଖ୍ୟାରେ ସେବକ ଚଢ଼ିଥିଲେ। ଭିଡ଼ ଭିତରେ କିଏ ଦଇତାପତି ଓ କିଏ ଦଇତାପତି ନୁହନ୍ତି, ଚିହ୍ନିବା କଷ୍ଟକର ଥିଲା। ଭିଡ଼ ବି ରଥ ଉପରେ ସମସ୍ୟା ସୃଷ୍ଟି କରିଥିଲା ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

Spread the love