ଇଣ୍ଟରନେଟ୍ ବନ୍ଦ କରାଯିବା ନେଇ କିଛି ପ୍ରୋଟୋକଲ୍ ଅଛି କି ? ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମନମୁଖୀ ଭାବେ ଇଣ୍ଟରନେଟ୍ ବନ୍ଦ କରାଯିବା ଅଭିଯୋଗ ନେଇ ଦାଖଲ ଯାଚିକା ଉପରେ  ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। କୋର୍ଟ ଜାଣିବାକୁ ଚାହିଁଛନ୍ତି ଯେ, କଣ ଏହି ମାମଲା  ନେଇ କିଛି ପ୍ରୋଟୋକଲ ରହିଛି। ସଫ୍ଟଓ୍ଵେୟାର ଲ ସେଣ୍ଟର ପକ୍ଷରୁ ଦାଖଲ ଜନସ୍ଵାର୍ଥ ମାମଲାରେ ଅଭିଯୋଗ କରାଯାଇଛି ଯେ, ପରୀକ୍ଷାରେ କପିକୁ ରୋକିବା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।

ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ, ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ଏବଂ ବିଚାରପତି ପିଏସ ନରସିମାଙ୍କ ପୀଠ କହିଛନ୍ତି, ଆବେଦନରେ ପକ୍ଷଭୁକ୍ତ କରାଯାଇଥିବା ଚାରି ରାଜ୍ୟକୁ ନୋଟିସ୍ ଜାରି କରାଯିବା ପରିବର୍ତ୍ତେ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ନୋଟିସ୍ ଜରି କରାଯିବ। ଆମେ ଜାଣିବାକୁ ଚାହୁଁଛୁ ଯେ, ଇଣ୍ଟରନେଟ୍ ବନ୍ଦ କରାଯିବା ସମ୍ବନ୍ଧରେ କୌଣସି ମାନକ ପ୍ରୋଟୋକଲ୍ ଅଛି କି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଓକିଲ କହିଛନ୍ତି, ଏକ ସଂସଦୀୟ କମିଟିରେ କୁହାଯାଇଥିଲା ଯେ, ପରୀକ୍ଷାରେ କପି  ରୋକିବା ପାଇଁ ଇଣ୍ଟରନେଟ୍ ବନ୍ଦ ରଖାଯିବା ପରି ପଦକ୍ଷେପ ଉଠାଯିବା ଉଚିତ୍ ନୁହେଁ। ଜନସ୍ଵାର୍ଥ ମାମଲାରେ ନିକଟରେ ରାଜସ୍ଥାନରେ ଦେଖା ଦେଇଥିବା ସାଂପ୍ରଦାୟିକ ହିଂସା ସମୟରେ ମଧ୍ୟ ଇଣ୍ଟରନେଟ୍ ବନ୍ଦ କରାଯିବା ଘଟଣା ଉଲ୍ଲେଖ ରହିଛି।

Spread the love