ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୦୧/୧୧/୨୦୨୪:ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା । ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧୁବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ଵର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରି ଏଥିପାଇଁ ପ୍ରସ୍ତାବ ରଖିଥିଲେ । ଏହାପରେ ସରକାରଙ୍କ ତରଫରୁ ଆଞ୍ଚଳିକ ଶାଖା ପ୍ରତିଷ୍ଠା ପାଇଁ ବିଧ‌ିବଦ୍ଧ ଭାବେ ଅନୁମୋଦନ ମିଳିବା ପରେ ମନ୍ତ୍ରୀ ଶ୍ରୀ ସୂରଜ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଓଡ଼ିଶାର ଇତିହାସ, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ଓଡ଼ିଆ ନାଟ୍ୟ ପରମ୍ପରାର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ପୁରାଣ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାଟକ ପ୍ରସ୍ତୁତି ଏବଂ ପ୍ରଦର୍ଶନ ମାଧ୍ଯମରେ ଓଡ଼ିଆ ମାଟିର କାହାଣୀ, ଗୌରବମୟ ଇତିହାସ ଏବଂ ସଂସ୍କୃତି ଲୋକମାନଙ୍କ ନିକଟରେ ପହଞ୍ଚିପାରିଛି । ଭୁବନେଶ୍ଵରରେ ପ୍ରତିଷ୍ଠା ହେବାକୁ ଥିବା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ନିଚ୍ଛକ ଓଡ଼ିଆ ନାଟକ ପ୍ରଦର୍ଶନ, ଏହାର ପ୍ରଚାରପ୍ରସାର ଏବଂ ସଂପ୍ରସାରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥ‌ିବା ସମସ୍ତ ଛାତ୍ରଛାତ୍ରୀମାନଙ୍କପାଇଁ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଭୁବନେଶ୍ୱର ଆଞ୍ଚଳିକ ଶାଖା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ । ଏଠାରେ ଉଚ୍ଚକୋଟୀର ପ୍ରଶିକ୍ଷଣ ଲାଭ କରିସାରିବା ପାରେ ଛାତ୍ରଛାତ୍ରୀମାନେ ଅନ୍ତରାଷ୍ଟ୍ରୀୟ ସ୍ତରରେ ନାଟକ

ପ୍ରଦର୍ଶନ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଇତିହାସର ବହୁଳ ପ୍ରଚାରପ୍ରସାର କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

ପ୍ରକାଶଯୋଗ୍ୟଯେ, ୧୯୫୯ ମସିହାରେ ପ୍ରତିଷ୍ଠିତ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ୧୯୭୫ ମସିହାରୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଏକ ସ୍ଵୟଂ ଶାସିତ ଅନୁଷ୍ଠାନ ରୂପେ କାର୍ଯ୍ୟ କରିଆସୁଛି । ବିଶିଷ୍ଟ ଅଭିନେତା ପରେଶ୍ ରାୱଲ ଏହାର ଅଧ୍ଯକ୍ଷ ଓ ଓଡ଼ିଶାର ବିଶିଷ୍ଟ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଳିତ ଦାସ, ସୂର୍ଯ୍ୟ ମହାରି ଆଦି ଏହି ବିଦ୍ୟାଳୟର ପ୍ରମୁଖ ଛାତ୍ର ରହି ଆସିଛନ୍ତି ।

ଓଡ଼ିଶାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ପ୍ରତିଷ୍ଠା ହେବା ଦ୍ଵାରା ଓଡ଼ିଆ ସଂସ୍କୃତି ଏବଂ ବିଶେଷ ଭାବେ ଓଡ଼ିଆ ନାଟ୍ୟ ପରମ୍ପରାର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

Spread the love