ଏବେ ଆଧାର ସହ ସଂଯୁକ୍ତ ହେବ ଭୋଟର ସୂଚୀ, ସଂସଦରେ ଆଗତ ହେବ ବିଧେୟକ, କଟିବ ନକଲୀ ଭୋଟ

ନୂଆଦିଲ୍ଲୀ ୧୯।୧୨:  ଦେଶର ନିର୍ବାଚନ ସଂସ୍କାର ଲାଗି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ସଂସଦର ଜାରି ଅଧିବେଶନରେ ଉପସ୍ଥାପିତ କରିବାକୁ ଯାଉଛନ୍ତି ସରକାର। ଲୋକସଭାର କାର୍ଯ୍ୟସୂଚୀରେ ବିଧେୟକ ସୂଚୀଭୁକ୍ତ ହୋଇଛି। ଏଥିରେ ଭୋଟର ସୂଚୀକୁ ଆଧାର ଇକୋ ସିଷ୍ଟମରେ ସଂଯୁକ୍ତ କରିବା ଲାଗି ବ୍ୟବସ୍ଥା ରହିଛି। ଏହି ବିଧେୟକ ଗୃହୀତ ହେଲେ ଦେଶରେ ହେଉଥିବା ନିର୍ବାଚନମାନଙ୍କରେ  ନକଲୀ ମତଦାତାଙ୍କୁ ରୋକାଯାଇପାରିବ।

ନିର୍ବାଚନ ଆଇନ (ସଂଶୋଧିତ) ବିଧେୟକ ୨୦୨୧ରେ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବେ ମତଦାତା ସୂଚୀରେ ଭୋଟରଙ୍କ ନାମ ପଞ୍ଜିକରଣ କରାଇବାକୁ ଚିହ୍ନଟ ପ୍ରମାଣପତ୍ର ଭାବେ ଆଧାର କାର୍ଡ ମାଗିବାକୁ ପ୍ରାଧିକୃତ ହେବେ।  ସେହିପରି ପୂର୍ବରୁ ଭୋଟର ସୂଚୀରେ ସ୍ଥାନୀତ ନାଗରିକଙ୍କୁ ସେମାନଙ୍କ ମତଦାନ ଅଧିକାର ସତ୍ୟାପନ ନିମନ୍ତେ ଆଧାର ନମ୍ବର ଦେବାକୁ ହେବ। ଫଳରେ ଏକାଧିକ ସ୍ଥାନର ଭୋଟର ଲିଷ୍ଟରେ ନାମ ରଖିଥିବା ଭୋଟରଙ୍କ ନାମ ଗୋଟିଏ ସ୍ଥାନରେ ସ୍ଥିରିକୃତ ହୋଇପାରିବା ସହ ଏକ ସ୍ୱଚ୍ଛ ଭୋଟର ସୂଚୀ ପ୍ରସ୍ତୁତ କରିହେବ।

ତେବେ ଆଧାର କାର୍ଡ କରିନଥିବା ଲୋକଙ୍କ ନାମ ମଧ୍ୟ ଭୋଟର ସୂଚୀରେ ରହିବ। ହେଲେ ଏଥିଲାଗି ଚିହ୍ନଟ ନିମନ୍ତେ ଅନ୍ୟ ପ୍ରମାଣ ଗ୍ରହଣ କରାଯିବ। ଏହି ସଂଶୋଧନ ଲାଗି ଜନପ୍ରତିନିଧି ଆଇନ ୧୯୫୦ ଓ ୧୯୫୧ର ବିଭିନ୍ନ ଧାରାର ସଂଶୋଧନ ହେବ। ତେବେ ବିଧେୟକର ଉଦ୍ଦେଶ୍ୟ ଓ କାରଣ ନେଇ କୁହାଯାଇଛି ଯେ ଭୋଟର ସୂଚୀ ଡାଟାକୁ ଆଧାର ସିଷ୍ଟମ ସହ ସଂଯୁକ୍ତ କରିବା। ଯାହା ଦ୍ୱାରା ଜଣେ ବ୍ୟକ୍ତି ବିଭିନ୍ନ ସ୍ଥାନର ଭୋଟର ଭାବେ ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ।

ସେହିପରି ୧୮ ବର୍ଷ ବୟସର ନାଗରିକଙ୍କୁ ଭୋଟର ସୂଚୀରେ ସଂଯୁକ୍ତ ହେବା ଲାଗି ୧ ଜାନୁୟାରୀ ଏପର୍ଯ୍ୟନ୍ତ ଏକ ମାନକ ହୋଇ ରହିଛି। ଏହି ଅବଧି ସୁଧା ଯଦି କେହି ନାମ ପଞ୍ଜିକୃତ କରି ନ ପାରିଲେ ତେବେ ତାଙ୍କୁ ଆଉ ବର୍ଷଟିଏ ଅପେକ୍ଷା କରିବାକୁ ପଡୁଥିଲା। ହେଲେ ଏହି ସଂଶୋଧନରେ ଧାରା ୧୪ରେ ସୁଧାର ନାଗରିକଙ୍କୁ ୪ଟି ସୁଯୋଗ ମିଳିବ।

Spread the love