ନାମ ଲେଖା ସହ ଆଧାର ଲିଙ୍କ୍ ହେବାରୁ ଶୂନ୍ୟରେ ମିଳେଇ ଗଲେ ୧୦,୦୦୦ ମଦ୍ରାସା ଛାତ୍ର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର ମଦ୍ରାସାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖା ସହ ଆଧାର ଲିଙ୍କ୍  ବାଧ୍ୟତାମୂଳକ ହେବାରୁ ସେଠାରେ ଚାଲିଥିବା ଏକ ବଡ଼ ଧରଣର ଜାଲିଆତି ଧରା ପଡ଼ିଛି । ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ର ହଠାତ୍ ଶୂନ୍ୟରେ ମିଳାଇଯାଇଛନ୍ତି । ଅର୍ଥାତ୍ ଉପସ୍ଥାନରେ ଯେଉଁ ପିଲାଙ୍କ ନାଁ ଥିଲା ସେମାନେ ପ୍ରକୃତରେ ପଢୁନଥିଲେ ଅଥବା କାଳ୍ପନିକ ନାଁ ବ୍ୟବହାର କରାଯାଇଥଲା । ଏପରି କରି ପ୍ରାୟ ସାଢେ ୩ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଧାର କୁ ବାଧ୍ୟତାମୂଳକ କରାଯିବା ପରେ ଗତବର୍ଷ ସୁଦ୍ଧା ଜିଲ୍ଲାର ମଦ୍ରାସାରେ ନାମ ଲେଖାଇଥିବା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ହଠାତ୍ ନିଖୋଜ ହୋଇଯାଇଥିଲେ। ଅନେକ ମଦ୍ରାସାରେ ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ କୌଣସି ବିବରଣୀ ମିଳୁନାହିଁ ।  ହରଦୋଇ ଜିଲ୍ଲାପାଳ ସାଂସଦ ସିଂ କହିଛନ୍ତି ଯେ ଯାଞ୍ଚ କରାଯାଉଛି ଏବଂ ଯଦି ଠକେଇ ପ୍ରମାଣିତ ହୁଏ, ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହରଦୋଇ ଜିଲ୍ଲାର ବିଭିନ୍ନ ଅଂଚଳରେ ମୋଟ ୧୪୧ଟି ମଦ୍ରାସା ଚାଲିଛି । ଗତ ଶିକ୍ଷାବର୍ଷରେ ଏହି ମଦ୍ରାସାଗୁଡ଼ିକରେ ୨୫,୯୪୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ଚଳିତ ଶିକ୍ଷାବର୍ଷରେ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସମସ୍ତ ଛାତ୍ରଛାତ୍ରୀଙ୍କ ବିବରଣୀ ଆଧାର ସହ ଲିଙ୍କ୍ କରାଯାଉ, ଯାହାଦ୍ୱାରା ସ୍କଲାରସିପ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷର ଅର୍ଥ ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯାଇପାରିବ।

Spread the love