ବିଦ୍ୟାଳୟରେ ନାମ ଲେଖାଇବା ବେଳେ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ, ଚିଠି ଲେଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ବର: ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ପିଲାମାନଙ୍କର ନାମଲେଖା ପାଇଁ ଏଣିକି ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି  ଗଣଶିକ୍ଷା ସଚିବ ଅଶ୍ବସ୍ଥି ଏସ୍‌ ଅବଗତ କରିଛନ୍ତି। ଆଧାରକାର୍ଡ ଥାଉ ବା ନଥାଉ ବିଦ୍ୟାଳୟରେ ନାମ ଲେଖାଇ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଚିଠି ଲେଖାଯାଇଛି।

ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ କିଛି ଶିକ୍ଷାନୁଷ୍ଠାନରେ ଏବେବି ନାମଲେଖା ଜାରି ରହିଛି। ନାମଲେଖାକୁ ସହଜ ଓ ସରଳ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଥିଲା। କେତେକ ବିଦ୍ୟାଳୟରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି । ତେବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଆଧାରକାର୍ଡ ବିନା ନାମଲେଖା ହୋଇ ପାରିବ ବୋଲି ସଚିବ ସବୁ ଜିଲ୍ଲାର ଡିଇଓଙ୍କୁ ଚିଠି କରିଛନ୍ତି। ପରେ ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ ଛାତ୍ରଛାତ୍ରୀ ।

ସଚିବ ଚିଠିରେ ଲେଖିଛନ୍ତି, ନାମଲେଖା ପାଇଁ ଆଧାରକାର୍ଡ ଆବଶ୍ୟକ ନାହିଁ । ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ଜିଲ୍ଲାର ଅଧିକାରୀଙ୍କୁ ଯୋଗାଯୋଗ କରି ଆଧାର କାର୍ଡ ସଂଗ୍ରହ କରି ପାରିବେ। ଏନେଇ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇବାକୁ ଡିଇଓଙ୍କୁ ଚିଠି କରିଛନ୍ତି ବିଭାଗୀୟ ସଚିବ। ବିଦ୍ୟାଳୟରେ ସୁରୁଖୁରୁରେ ନାମଲେଖା ପାଇଁ ଏବାବଦରେ ପ୍ରଧାନଶିକ୍ଷକମାନଂକୁ ଅବଗତ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଂକୁ ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପ କଲେ ତାକୁ ଗୁରୁତ୍ବର ଭାବେ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Spread the love