ଆଧୁନିକ ଭାରତୀୟ ମହିଳା ଏକାକୀ ରହିବାକୁ ଚାହୁଁଛନ୍ତି ଏବଂ ଶିଶୁ ଜନ୍ମ କରିବାକୁ ଚାହୁଁ ନାହାନ୍ତି’

ବେଙ୍ଗାଲୁରୁ ୧୦।୧୦: କର୍ଣ୍ଣାଟକର ସ୍ଵାସ୍ଥ୍ୟ ମନ୍ତ୍ରୀ ସୁଧାକର ରବିବାର ନ୍ୟାନାଲ ଇନଷ୍ଟିଚ୍ୟୁଟ୍ ଅଫ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋଲୋଜିକଲ ସାଇନସେଜ୍ ପକ୍ଷରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହେଲେ ଏଠାରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସୁଧାକର କହିଛନ୍ତି, ଆଧୁନିକ ଭାରତୀୟ ମହିଳା ଶିଶୁକୁ ନିଜେ ଜନ୍ମ ନଦେଇ ସରୋଗେସିକୁ ଗୁରୁତ୍ଵ ଦେଉଛନ୍ତି। ଆମ ଚିନ୍ତା ଧାରାରେ ଆସୁଥିବା ଏପରି ପରିବର୍ତ୍ତନ କିଛି ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

ବେଙ୍ଗାଲୁରୁରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଧାକର କହିଛନ୍ତି, ମୋତେ ଏହା କହିବାରେ ଦୁଃଖ ଲାଗୁଛି ଯେ, ଅନେକ ଆଧୁନିକ ଭାରତୀୟ ମହିଳା ଏକାକୀ ରହିବାକୁ ଚାହୁଁଛନ୍ତି। ଯଦି ସେମାନେ ବିବାହ କରୁଛନ୍ତି ତେବେ ଶିଶୁକୁ ନିଜେ ଜନ୍ମ ଦେବାକୁ ଚାହୁଁ ନାହାନ୍ତି। ସେମାନେ ଏବେ ସରୋଗେସିକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଆମ ଚିନ୍ତାଧାରାରେ ଏକ ବିଚାରଣୀୟ ପରିବର୍ତ୍ତନ ଆସିଛି, ଯାହା ଠିକ୍ ନୁହେଁ। ଦୁର୍ଭାଗ୍ୟରୁ ଆଜି ଆମେ ପାଶ୍ଚାତ୍ୟ ମାର୍ଗରେ ଗତି କରୁଛେ। ଅଜା-ଆଈଙ୍କ ପାଖରେ ରହିବା ତ ଦୂରର କଥା ଆମେ ନିଜର ବାପା-ମାଙ୍କ ସହିତ ରହିବାକୁ ଚାହୁଁ ନାହାନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ମାନସିକ ସ୍ଵାସ୍ଥ୍ୟ ବିଷୟରେ ସୁଧାକର କହିଛନ୍ତି, ଏହି ସମୟରେ ଦେଶରେ ପ୍ରତିଟି ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମାନସିକ ସମସ୍ୟା ଦେଇ ଗତି କରୁଛି। ଏମିତି ସ୍ଥିତିରେ ଭାରତୀୟଙ୍କୁ ଯୋଗ ଏବଂ ଧ୍ୟାନ କରିବା ଉପରେ ଜୋର ଦେବା ଉଚିତ୍। ଏହା ଆମ ପୂର୍ବଜ ଆମ୍ଭମାନଙ୍କୁ ଶିଖାଇଛନ୍ତି।

Spread the love