ଆଫଗାନ ଦଖଲ ପରେ ତାଲିବାନ କାଙ୍ଗାଳ, ଆମେରିକା ପରେ ଆଇଏମ୍ଏଫ୍ ପକାଇଲେ ସିନ୍ଦୁକରେ ଚାବି

ନୂଆଦିଲ୍ଲୀ ୧୯।୦୮: ବନ୍ଧୁକ ଏବଂ ହିଂସା ବଳରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ଏହାପରେ ବି ତାଲିବାନ ଲାଗିଛି ଶକ୍ତ ଝଟ୍‌କା ।  ଯଦିଓ ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି । ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ ହୋଇ ରହିବ । ଆମେରିକା ୭୦୬ ବିଲିୟନ ଟଙ୍କା ମୂଲ୍ୟର ସମ୍ପତ୍ତି ଫ୍ରିଜ୍ କରିବା ପରେ ଆତଙ୍କବାଦୀ ସଂଗଠନ ତାଲିବାନ ଆଉ ଏକ ଝଟ୍‌କା ଲାଗିଛି । ଆଇଏମ୍ଏଫ୍ ଅର୍ଥାତ୍ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ ଏହାର ସମ୍ବଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ଶାସନକୁ ଆସିବା ପରେ ତାଲିବାନ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲାଗିବା ଆରମ୍ଭ ହୋଇଛି । ଆଇଏମ୍ଏଫ୍ ଅର୍ଥାତ୍ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କହିଛି ଯେ, ତାଲିବାନ ଦ୍ୱାରା ଆଫଗାନିସ୍ତାନକୁ ଏହାର ସମ୍ବଳ ବ୍ୟବହାର କରିପାରିବ ନାହିଁ । ଏହାସହିତ କୌଣସି ପ୍ରକାର ସହଯୋଗ ମିଳିପାରିବ ନାହିଁ । ଆଇଏମ୍ଏଫ୍ ଏବେ ୪୬୦ ମିଳିୟନ ଆମେରିକୀୟ ଡଲାର ମାନେ ୪୬ କୋଟି ଡଲାର ଟଙ୍କାର ଜରୁରୀକାଳୀନ ବ୍ୟବହାର ଉପରେ ରୋକ ଲଗାଇଛି ।

ସେହିପରି ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜୋ ବାଇଡେନ ପ୍ରଶାସନର ଚାପ ପରେ ଆଇଏମଏଫ ଏହି ନିଷ୍ପତ୍ତି ନେଇଛି। ତାଲିବାନ ନିକଟକୁ କିପରି ଆଇଏମ୍ଏଫ୍ ଭଣ୍ଡାର ପହଞ୍ଚିବନି,  ସେନେଇ ଏପରି ନିଷ୍ପତ୍ତି ନିଆଯାଇଛି । ସେପଟେ ମଙ୍ଗଳବାର ଦିନ ଆମେରିକା ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ୯.୫ ବିଲିୟନ ଡ଼ଲାର ବା ୭୦୬ ବିଲିୟନରୁ ଅଧିକ ଟଙ୍କା ଫ୍ରିଜ୍ କରିଛି। କେବଳ ଏତିକି ନୁହେଁ, ଆଫଗାନିସ୍ତାନକୁ ନଗଦ ଟଙ୍କା ଯୋଗାଣ ଉପରେ ମଧ୍ୟ ଆମେରିକା ରୋକ୍‌ ଲଗାଇଛି ।

ପାକିସ୍ତାନୀ ୱେବସାଇଟ୍ ଅନୁଯାୟୀ, ଆମେରିକାର ଟ୍ରେଜେରୀ ସଚିବ ଜାନେଟ୍ ୟେଲେନ ଏବଂ ଟ୍ରେଜେରୀ ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟର କର୍ମଚାରୀମାନେ ଆକାଉଣ୍ଟ ଫ୍ରିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଆମେରିକାର ଜଣେ ପ୍ରଶାସନିକ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ଅଧିକାରୀ କହିଛନ୍ତି ଯେ, ଆମେରିକାରେ ଆଫଗାନିସ୍ତାନ ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କର ଥିବା କୌଣସି ସମ୍ପତ୍ତି ତାଲିବାନ ବ୍ୟବହାର କରିପାରିବ ନାହିଁ । ଏହି କାର୍ଯ୍ୟ ପୂର୍ବରୁ ଆମେରିକାର ବୈଦେଶିକ ବିଭାଗ ଏବଂ ଓ୍ୱାଇଟ୍‌ ହାଉସ୍ର ପରାମର୍ଶ ନିଆଯାଇଛି ।  ତାଲିବାନ ଉପରେ ଚାପ ପକାଇବା ପାଇଁ ବାଇଡେନ୍‌ ପ୍ରଶାସନ ମଧ୍ୟ ଅନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରୁଛି।

Spread the love