ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ନେଇ ଭାରତ ପାଖରେ ଥିଲା ଖବର, ହେଲେ ଟାଇମିଂରେ ଫରକ: ସିଡିଏସ୍‌

ନୂଆଦିଲ୍ଳୀ ୨୫/୦୮:  ଆଫଗାନିସ୍ତାନରେ ଯାହା କିଛି ବି ହୋଇଛି ସେନେଇ ଭାରତ ପୂର୍ବରୁ ଜାଣିଥିଲା। ଏକଥା ଆମେ କହୁ ନାହୁଁ ବରଂ ଭାରତର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ୍‌ ବିପିନ ରାଓ୍ବତ କହିଛନ୍ତି । ଏହା ସହ ସେ କହିଛନ୍ତି, ଆଫଗାନିସ୍ତାନକୁ ନେଇ ଭାରତ ଯାହା କହିଥିଲା ତାହା ହିଁ ହେଉଛି କିନ୍ତୁ ଏଥିରେ ଟାଇମିଂରେ ଫରକ ରହିଛି। ଯଦି ଭାରତର ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଆମେ ଜାଣିଥିଲୁ ଆଫଗାନିସ୍ତାନକୁ ତାଲିବାନ କବଜା କରିନେବ ।  ‘ଇଣ୍ଡିଆ-ୟୁଏସ୍‌ ପାର୍ଟନରସିପ୍‌ ଏକବିଂଶ ଶତାବ୍ଦୀ’ କାର୍ଯ୍ୟକ୍ରମରେ ଜେନେରାଲ୍‌ ରାଓ୍ବତ କହିଛନ୍ତି, ଆଫଗାନିସ୍ତାନରେ ଯାହା ବି ହେଲା ତାର ଗତିକୁ ଦେଖି ଚିନ୍ତା ଲାଗୁଛି। ଏହାର କାରଣ ଆମକୁ ଲାଗୁଥିଲା କାବୁଲ କବଜା ପାଇଁ ତାଲିବାନକୁ ଅତିକମ୍‌ରେ ଦୁଇ ମାସ ଲାଗିବ। କିନ୍ତୁ ଆାନୁମାନିକ ସମୟ ପୂର୍ବରୁ ତାଲିବାନ ଆଫଗାନିସ୍ତାନ ଉପରେ ନିୟନ୍ତ୍ରଣ ନେଇଆସିଲା। ଦୁଇ ଦଶକ ପରେ ତାଲିବାନ ପୁଣି ଥରେ ଆଫଗାନିସ୍ତାନକୁ ଫେରିଆସିଲା।

ସେ ଆହୁରି ମଧ୍ୟ କହିଛନ୍ତି, ସେଠାରୁ ମଳୁଥିବା ଖବର ଅନୁସାରେ ତାଲିବାନର ଅସଲ ଚେହେରା ଏବେ ସାମ୍ନାକୁ ଆସୁଛି। ତାଙ୍କ ମତରେ, ବର୍ତ୍ତମାନ ସମୟରେ ତାଲିବାନ ସମାନ ରହିଛି କିନ୍ତୁ ତାର ସହଯୋଗୀ ଅଲଗା ହୋଇଯାଇଛନ୍ତି।  ତାଲିବାନ ଶାସନକୁ ଫେରିବା ପରେ ଭାରତର ଚିନ୍ତାକୁ ନେଇ ସିଡିଏସ୍‌ କହିଛନ୍ତି, ଆମର ଚିନ୍ତା କେବଳ ଉତ୍ତରରେ ଅବସ୍ଥିତ ପଡ଼ୋଶୀଙ୍କ ପାଇଁ ନୁହେଁ ବରଂ ପଶ୍ଚିମରେ ଥିବା ପଡ଼ୋଶୀଙ୍କ ପାଇଁ ରହିଛି। କାରଣ ତାଙ୍କ ପାଖରେ ମଧ୍ୟ ପରମାଣୁ ଅସ୍ତ୍ର ରହିଛି। ଭାରତ ଏମିତି ଦୁଇ ପଡ଼ୋଶୀ ଦେଶ ସହ ଘେରି ହୋଇ ରହିଛି ସେମାନଙ୍କ ପାଖରେ ଘାତକ ଅସ୍ତ୍ର ରହିଛି ବୋଲି ମଧ୍ୟ ସେ କହିଛନ୍ତି।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବର୍ତ୍ତମାନର ସମ୍ପର୍କର ସ୍ଥିତିକୁ ନେଇ ସିଡିଏସ୍‌ ଜେନେରାଲ ରାଓ୍ବତଙ୍କ କହିବାନୁଯାୟୀ, ସେଠାରେ ଭାରତ ନିଜର ରଣନୀତି ସହ ଆଗକୁ ବଢ଼ୁଛି। ଭାରତର ରଣନୀତି ବହୁତ ମଜଭୁତ ରହିଛି। ଭାରତୀୟ ସେନା କୌଣସି ପରିସ୍ଥିତିର ସାମ୍ନାକୁ କରିବାକୁ ବିଲକୁଲ ପ୍ରସ୍ତୁତ। ତେବେ ଆଫଗାନିସ୍ତାନର ସ୍ଥିତି ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରର ପରିସ୍ଥିତିକୁ ଦୁଇଟି ଭିନ୍ନ ନଜରରେ ଦେଖୁଥିବା ନେଇ ସେ ମତ ରଖିଛନ୍ତି।

ସୂଚନାଯୋଗ୍ୟ,  ୧୫ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିଥିଲା। ତା ପରଠୁ ସେଠାରେ ସରକାର କରିବାକୁ ତାଲିବାନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥର ନୂଆ ରୂପରେ ଏବଂ ଲୋକଙ୍କୁ ସୁହାଇଲା ଭଳି ସରକାର ଚଳାଇବ ବୋଲି ତାଲିବାନ ପ୍ରତିଶ୍ରୁତି ଦେଉଥିଲେ ହେଁ ଆଫଗାନ ନାଗରିକଙ୍କୁ ଭରସା ହେଉ ନାହିଁ। ତାଲିବାନର ନୂଆ ଶାସନ ଅନୁସାରେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ସ୍ବାଧୀନତା ମିଳିପାରିବ ବୋଲି କୁହାଯାଉଛି। ମହିଳାମାନଙ୍କୁ କାର୍ଯ୍ୟ କରିବାର ସ୍ବାଧୀନତା ମଧ୍ୟ ଦେବ ବୋଲି ତାଲିବାନ କହିଛି। ଏଥର କେବଳ ଆଫଗାନିସ୍ତାନରେ ସରକାର କରିବାରେ ସୀମିତ ନରହି ଅନ୍ତରାଷ୍ଟ୍ରୀୟ ସମୂହଙ୍କ ପାଖରୁ ସ୍ବିକୃତୀ ପାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛି ତାଲିବାନ।

Spread the love