ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି କରିଥିଲେ ଅମୀର; କାରଣ ଜାଣି କାନ୍ଦିଲେ ପତ୍ନୀ

ମୁମ୍ବାଇ: ବେଳେ ବେଳେ ମଣିଷ ବ୍ୟସ୍ତତା ଜୀବନରେ ଧାଇଁ ଧାଇଁ ପଛରେ ଛାଡ଼ିଆସେ ଅନେକ ସ୍ମୃତି, ଭଲପାଇବା ଓ ଅନେକ ଚିହ୍ନା ମୁହଁ। ଆଉ ଥକିଗଲେ ଯେତେବେଳେ ସେ ପଛକୁ ଫେରି ଚାହେଁ, ସେତେବେଳେ ସେ ନିଜକୁ ଏକା ପାଏ। ଖୁବ୍ ନିଃସଙ୍ଗ ଲାଗେ। ସେତେବେଳେ ଈଚ୍ଛା ହୁଏ ପୁଣି ଥରେ ପଛକୁ ଫେରିଯିବାକୁ। ସେଇ ଚିହ୍ନା ମୁହଁମାନଙ୍କ ପାଖକୁ ଯାହାଙ୍କୁ ସେ ପଛରେ ଛାଡ଼ିଆସିଥିଲା।

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ କୁହାଯାଉଥିବା ଅମୀର ଖାନ୍‌ଙ୍କୁ ବି ଠିକ୍ ଏମିତି ଲାଗିଛି। ଫିଲ୍ମ ପାଇଁ ସେ ଭୁଲିଯାଇଛନ୍ତି ତାଙ୍କ ପରିବାର ଓ ପିତୃତ୍ୱ। ପିଲାମାନେ କ’ଣ ଚାହାଁନ୍ତି? କେଉଁଥିରେ ତାଙ୍କର ଖୁସୀ ? ଏସବୁ ବୁଝିବାକୁ ଅମୀରଙ୍କ ପାଖରେ ତର ନଥିଲା। ହେଲେ ଫିଲ୍ମ ନିର୍ଦ୍ଦେଶକ ଓ ସାଥି କଳାକାରଙ୍କର ରୁଚି ଅରୁଚିକୁ ସେ ବେଶ୍ ବୁଝିଥିଲେ। ହେଲେ କରୋନା ତାଙ୍କ ଜୀବନକୁ ବଦଳାଇ ଦେଇଛି। ତାଙ୍କ ଭିତରେ ଥିବା ସେ ବ୍ୟସ୍ତ ମଣିଷଟା ନିଜକୁ ଏକାକୀ ପାଇଛି। ସେ ଖୁବ୍‌ ଏକା ଅନୁଭବ କରୁଛନ୍ତି। ଫିଲ୍ମ ପାଇଁ ସେ ଯେ ଏସବୁ ହରାଇଛନ୍ତି ଏକଥା ଅନୁଭବ କରି ଅମୀର ଦିନେ ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ଆଉ ଫିଲ୍ମରେ ଅଭିନୟ କରିବେନି। କିନ୍ତୁ ଫିଲ୍ମ ତିଆରି କରିବେ ବୋଲି ଭାବିଥିଲେ। ଏକ କାର୍ଯ୍ୟକ୍ରମରେ ଜୀବନର ସବୁ ତିକ୍ତମଧୁର ସ୍ମୃତି ବାଣ୍ଟିଲା ବେଳେ ଏପରି କହିଛନ୍ତି ଅମୀର।

ଅମୀର ଖାନ କହିଛନ୍ତି ଯେ ସମସ୍ତଙ୍କ ପରି ସେ ବି ତାଙ୍କ ଜୀବନରେ ଅନେକ କିଛି ହରାଇଛନ୍ତି। କିନ୍ତୁ କରୋନା ମହାମାରୀ ସମୟରେ ସେ ବହୁତ କିଛି ପାଇଛନ୍ତି। ଗତ ଦୁଇ ବର୍ଷରେ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ସେ ଫିଲ୍ମ ଛାଡ଼ିଦୋକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ କହିଥିଲେ ଯେ ମୁଁ ଅଭିନେତା ହେବା ପରେ ମୋ ପରିବାରକୁ ହାଲ୍‌କାରେ ନେଇଗଲି। ପରିବାର ମୋ ସହିତ ରହିଛି ବୋଲି ଭାବି ମୁଁ ଦର୍ଶକଙ୍କ ହୃଦୟ ଜିତିବାକୁ ବାହାରି ପଡ଼ିଲି। ମଣିଷ କୌଣସି କାମ କଲେ ଆରମ୍ଭରୁ ସେ ଖୁବ୍ ବ୍ୟସ୍ତ ରହେ। ହେଲେ ମୁଁ ୩୦-୩୫ ବର୍ଷ ମୋ କାମରେ ବ୍ୟସ୍ତ ରହି ପରିବାରକୁ ଭୁଲିଗଲି।

ଅମୀର ନିଜକୁ ସମାଲୋଚନା କରିବା ସହିତ କହିଛନ୍ତି ମୁଁ ସ୍ୱାର୍ଥପର ଥିଲି। କେବଳ ନିଜ ବିଷୟରେ ହିଁ ଭାବି ଚାଲିଥିଲି। ମୁଁ ମୋ ପିଲାମାନଙ୍କ ସହିତ ରହୁଥିଲି ସତ କିନ୍ତୁ  ସେମିତି ନୁହେଁ ଯେମିତି ଜଣେ ବାପା ରହିବା କଥା। ଆଜି ୫୬-୫୭ ବର୍ଷରେ ମୋତେ ଏକଥାର ଅନୁଭବ ହେଉଛି। ତଥାପି ଯାହା ହେଲା ଭଲ ହେଲା। ୮୬ ବର୍ଷରେ ଯଦି ଏକଥା ସବୁ ଭାବିଥାନ୍ତି ତେବେ ମୁଁ କିଛି କରିପାରି ନଥାନ୍ତି। ତେଣୁ ଭାବିଲି ଆଉ ଫିଲ୍ମରେ ଅଭିୟନ କରିବି ନାହିଁ। ମୁଁ ଫିଲ୍ମ ତିଆରି କରିବି ଓ ସବୁ ସମୟ ପରିବାରକୁ ଦେବି।

ହେଲେ ଏକଥା ଜାଣିବା ପରେ ମୋ ପତ୍ନୀ କିରଣ ଓ ମୋ ପିଲାମାନେ ମୋତେ ବହୁତ ବୁଝାଇଥିଲେ। ଏମିତି ନ କରିବାକୁ କହିଥିଲେ। ଗତ ଦୁଇ ବର୍ଷରେ ମୋ ଭିତରେ ଅନେକ କିଛି ପରିବର୍ତ୍ତନ ହେଲା। ମୁଁ ବଲିଉଡ୍ ଛାଡ଼ି ବି ଦେଲି। ହେଲେ ଏବେ ପୁଣି ଫେରିଆସିଛି ବୋଲି ଅମୀର କହିଛନ୍ତି। ଆତ୍ମଚିନ୍ତନ ପରେ ଏବେ ସେ ମଦ ପିଇବା ବି ଛାଡ଼ି ଦେଇଛି ବୋଲି ଅମୀର କହିଛନ୍ତି।

ସୂଚନା ଥାଉକି, ଆଗକୁ ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ୍ ସିଂହ ଚଡ୍ଡା ରିଲିଜ୍ ହେବ। ଟମ ହ୍ୟାକ୍ସଙ୍କର ‘ରେଷ୍ଟ ଗମ୍ପ’ର ଏହା ହିନ୍ଦୀ ରିମେକ୍। ଏବେ ସେ ଫିଲ୍ମର କାମ ଶେଷ କରିବାକୁ ଲାଗିଛନ୍ତି। ଅଗଷ୍ଟ ୧୧ ତାରିଖରେ ଲାଲ୍ ସିଂହ ଚଡ୍ଡା ରିଲିଜ୍ ହେବ।

Spread the love