ବାୟୋପିକ୍‌କୁ ନେଇ ଚର୍ଚ୍ଚାରେ ଦେଶର କନିଷ୍ଠ ସରପଞ୍ଚ ଆରତୀ ଦେବୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅଧୀନ ଢୁଙ୍କାପଡ଼ାର ପ୍ରାକ୍ତନ ସରପଞ୍ଚ ଆରତୀ ଦେବୀଙ୍କୁ ନେଇ ଏବେ ବଲିଉଡ଼୍‌ରେ ଚର୍ଚ୍ଚା। ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ ପରିଚିତ ଆରତୀଙ୍କ ଜୀବନୀ ଓ ଅନୁଭୂତିକୁ ନେଇ ‘ସାର୍ ମ୍ୟାଡ଼ାମ୍ ସରପଞ୍ଚ’ ଫିଲ୍ମ ନିର୍ମାଣ ହୋଇଛି। ସରପଞ୍ଚ ଭାବେ ପଞ୍ଚାୟତର ବିକାଶ ପାଇଁ ତାଙ୍କର ସଂଘର୍ଷ ଓ ସଫଳତା ଉପରେ ଏହି ଫିଲ୍ମର କାହାଣୀ ଆଧାରିତ। ବିଶେଷକରି ମହିଳାଙ୍କ ସଶକ୍ତୀକରଣ, ଆର୍ଥିକ ବିକାଶ ଓ ‘ଟିପଚିହ୍ନ ନୁହେଁ, ଦସ୍ତଖତ ଦିଅ’, ସ୍ଲୋଗାନ୍‌କୁ ସଫଳ କରିବା ଲାଗି ତାଙ୍କ ପ୍ରୟାସକୁ ଏହି ଚଳଚ୍ଚିତ୍ରରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ପ୍ରବୀଣ ମରୋଚ୍ଛାଲେ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଆରତୀଙ୍କ ଭୂମିକାରେ ହଲିଉଡ୍ ଅଭିନେତ୍ରୀ ଆରିଆନା ସଜନାନା ଅଭିନୟ କରିଛନ୍ତି। ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ ସୀମା ବିଶ୍ବାସ ଓ ଭଗବାନ ତିୱାରୀଙ୍କ ନିଖୁଣ ଅଭିନୟ ଏହି ଚଳଚ୍ଚିତ୍ରକୁ ଅଧିକ ଆକର୍ଷଣ କରିଛି। ସେହିପରି ପ୍ରଖ୍ୟାତ ଗାୟକ କୈଳାସ ଖେର୍ ଏଥିରେ କଣ୍ଠଦାନ କରିଛନ୍ତି। ଏହି ଚଳଚ୍ଚିତ୍ର ୪ଟି ଭାଷାରେ ନିର୍ମାଣ ହୋଇ ସର୍ବଭାରତୀୟସ୍ତରରେ ମୁକ୍ତିଲାଭ କରିଥିବା ବେଳେ ଓଡ଼ିଆ ଭାଷାରେ ମଧ୍ୟ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି।

ଏମ୍‌ବିଏ ଡିଗ୍ରୀଧାରୀ ଉଚ୍ଚଶିକ୍ଷିତା ଆରତୀ ବ୍ୟାଙ୍କ୍ ଚାକିରି ଛାଡ଼ି ୨୦୧୨ ମସିହାରେ ନିଜ ପଞ୍ଚାୟତ ଢୁଙ୍କାପଡ଼ାରୁ ସରପଞ୍ଚ ପଦବିରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସମାଜରେ କିଛି ଭିନ୍ନ କରି ଦେଖାଇବା ଲକ୍ଷ୍ୟରେ ରାଜନୀତିରେ ପାଦ ଥାପିଥିବା ଆରତୀ ମାତ୍ର ୨୪ ବର୍ଷ ବୟସରେ ନିର୍ବାଚନରେ ପାଦ ଦେଇ ଦେଶର କନିଷ୍ଠ ସରପଞ୍ଚ ହୋଇଥିଲେ। ତାଙ୍କ ସମୟରେ ପଞ୍ଚାୟତର ଅନେକ ବିକାଶ ହୋଇପାରିଥିଲା। ପକ୍କାରାସ୍ତା, ବିଦ୍ୟୁତ୍ ସଂଯୋଗ ଓ ପିଡିଏସ୍ ସରଳୀକରଣ ସହ ସେ ପଞ୍ଚାୟତରେ ଦେଢ଼ ଲକ୍ଷ ଗଛ ଲଗାଇ ରାଜ୍ୟ ସରକାରଙ୍କ ପକ୍ଷରୁ ‘ପ୍ରକୃତି ମିତ୍ର’ ପୁରସ୍କାର ପାଇଥିଲେ। ‘ଟିପଚିହ୍ନ ନୁହେଁ ଦସ୍ତଖତ ଦିଅ’ ନାରା ଦେଇ ପ୍ରାୟ ଶତାଧିକ ମହିଳାଙ୍କୁ ସ୍ବାକ୍ଷର କରାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ସେ, ବାରାକ୍ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ବେଳ‌େ ଆରତୀ ଭାରତରୁ ଜଣେ ମାତ୍ର ପ୍ରତିନିଧି ଭାବେ ‘ଇଣ୍ଟରନ୍ୟାସନାଲ୍ ଭିଜିଟର୍ସ ଲିଡରସିପ୍ ପ୍ରୋଗ୍ରାମ୍’ ରେ ଭାଗ ନେବାର ଗୌରବ ହାସଲ କରିଥିଲେ। ଏହାପରଠୁ ସେ ପଛକୁ ଫେରିନାହାନ୍ତି। ସରକାରଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଦିଆଯାଉଥିବା ଗୁରୁ ଦାୟିତ୍ବକୁ ସେ ସଫଳତାର ସହ ନିର୍ବାହ କରିଚାଲିଛନ୍ତି। ଆଗାମୀ ଦିନରେ ନାରୀଶିକ୍ଷା ଓ ଗ୍ରାମାଞ୍ଚଳ ବିକାଶ ଦିଗରେ ଅଧିକ ପ୍ରୟାସ କରିବେ ବୋଲି ଆରତୀ କହିଛନ୍ତି।

ସିନେମା ‘ସାର୍ ମ୍ୟାଡ଼ାମ୍ ସରପଞ୍ଚ’ଉପରେ ଆରତୀ କହିଛନ୍ତି, ‘ମୋ’ ଉପରେ ସିନେମା ନିର୍ମାଣ ହେଉଥିବା ଜାଣି ନଥିଲେ। ଗଞ୍ଜାମ ଡିଆର୍‌ଡିଏରୁ ଫୋନ୍ ଯୋଗ‌େ ଏନେଇ ମୋତେ ସୂଚନା ଦିଆ ଯାଇଥିଲା। ପରେ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ ମୋ’ ସହ କଥା ହୋଇ ସିନେମା ନିର୍ମାଣ ପାଇଁ ଆଗ୍ରହ ଦେଖାଇଥିଲେ। ନାରୀଶିକ୍ଷା ଓ ଗ୍ରାମାଞ୍ଚଳର ବିକାଶ ଉପରେ ସିନେମା ହେଉଥିବାରୁ ମୁଁ ବହୁତ ଖୁସି ହୋଇଥିଲେ ବି ଆରତୀ କହିଛନ୍ତି।

ତେବେ ଆଉ କାହିଁକି ସରପଞ୍ଚ ହେଲେ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଆରତୀ କହିଛନ୍ତି, ‘ମୁଁ କେବଳ ଥରୁଟିଏ ହିଁ ସରପଞ୍ଚ ହେବି ବୋଲି ଗ୍ରାମରେ କହିଥିଲେ। ମୋ’ ପରେ ଆଉ ଜଣେ ମହିଳା ନିର୍ଦ୍ବନ୍ଦ୍ବରେ ସରପଞ୍ଚ ଭାବ‌େ ନିର୍ବାଚିତ ହେ‌ଲେ। ବର୍ତ୍ତମାନ ମୁଁ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହିଛି। ଦଳ ସହ ସମାଜର ହିତ ପାଇଁ କାମ କରୁଛି। ‘ବେଟି ବଚାଓ ଓ ବେଟି ବଢ଼ାଓ’ ନାରାକୁ ମୁଁ ଆଦର୍ଶ କରିଛି। ସେହିପରି ରାଜ୍ୟ ସରକାର ମଧ୍ୟ ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ କାର୍ଯ୍ୟକ୍ରମରେ ମତେ ଭାଗ ନେବାର ସୁଯୋଗ ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଉଦ୍ୟମ ଜାରି ରଖିବି।

Spread the love