ଗୃହରେ ପୁଣି ବାଜିଲା ବିରୋଧ ଘଣ୍ଟ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର ୭।୧୨: ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଅପରାହ୍ନ ଅଧିବେଶନରେ ବି ପୁର୍ନବାର ଘଣ୍ଟ ବାଜିଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରସ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । ଗୃହ କାର୍ଯ୍ୟ ସ୍ବାଭାବିକ କରିବା ନିମନ୍ତେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ୩୦ ମିନିଟ୍ ପାଇଁ ଗୃହ ମୁଲତବୀ ।

ପୂର୍ବରୁ ଗୃହ ଅଚଳ ନେଇ ପ୍ରତିକ୍ରିୟା ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି କହିଥିଲେ ସୋମବାର ସର୍ବଦଳୀୟ ବୈଠକ ପରେ ଗୃହ ଚାଲିବା ନେଇ ରାସ୍ତା ବାହାରିଥିବା ଆଶା କରାଯାଉଥିଲା । କିନ୍ତୁ ମଙ୍ଗଳବାର ଗୃହ ଆରମ୍ଭରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘଣ୍ଟ ଘଣ୍ଟା ବାଡେଇ ଗୃହ ମଧ୍ୟ ଭାଗକୁ ଆସି ପ୍ଲା-କାର୍ଡ ପ୍ରଦର୍ଶନ କରିଥିଲେ । ଗୃହ ମଧ୍ୟ ଭାଗରେ ପାଣି ଛିଞ୍ଚିଥିବା ଦେଖିଛି । ଯଦି ସମସ୍ତ ସଦସ୍ୟ ଗୃହ ଚାଲିବ ପାଇଁ ପ୍ରସ୍ତୁତ ନୁହଁନ୍ତି ସେଠାରେ କ’ଣ କରିବି । ବାଚସ୍ପତି ନାଚାର । ଗୃହରେ ବିଶୃଙ୍ଖଳା କଲେ କେତେକ ସଦସ୍ୟଙ୍କୁ ଦଣ୍ଡ ଦିଆଯାଇପାରିବ । ହେଲେ ସମସ୍ତ ସଦସ୍ୟ ବିଶୃଙ୍ଖଳିତ ଆଚରଣ କଲେ ସେଠାରେ କ’ଣ କରାଯାଇପାରିବ ବୋଲି ଅସହାୟ ପ୍ରକାଶ କରିଛନ୍ତି ବାଚସ୍ପତି ।

Spread the love