ଆବାସ ଦୁର୍ନୀତିର ପର୍ଦ୍ଦାଫାସ୍‌ କଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ୩ଟି ପଞ୍ଚାୟତର ତଥ୍ୟ ରଖି ରାଜ୍ୟ ସରକାରଙ୍କୁ ସିଧା ସିଧା ନିଶାନା କରିଛି ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ଦାଉଦ୍‌ପୁର ଗାଁରେ ଯେତିକି ପରିବାର ବସବାସ କରୁଛନ୍ତି ତା’ଠାରୁ  ଅଧିକ ପରିବାରକୁ ମିଳିଛି ଆବାସ ଯୋଜନା । ବିଜେପି ପକ୍ଷରୁ ଏନେଇ ତଥ୍ୟ ମଧ୍ୟ ପ୍ରକାଶ କରାଯାଇଛି ।

ବିଜେପିର କହିବାନୁଯାୟୀ, ଉକ୍ତ ଗାଁରେ ମୋଟ୍‌ ୧୨୦୮ଟି ପରିବାର ବସବାସ କରୁଛନ୍ତି । ଏବଂ ୨୦୧୧ ସାମାଜିକ ଅର୍ଥନୈତିକ ସର୍ଭେ ଅନୁଯାୟୀ ୭୬୮ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ । ହେଲେ ୨୦୧୮-୧୯ ସୁଦ୍ଧା ବିଭିନ୍ନ ଆବାସ ଯୋଜନାରେ ୧୪୨୧ ପରିବାରକୁ ଘର ପ୍ରଦାନ କରାଯାଇଥିବା ସରକାରୀ ତଥ୍ୟ କହୁଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହ ଆହୁରି ୨୧୨ ପରିବାରକୁ ଘର ଦିଆଯିବା ନେଇ ଚିହ୍ନଟ ମଧ୍ୟ କରାଯାଇଛି ।

ସେହିଭଳି ଯମରା ପଞ୍ଚାୟତରେ ୨୨୬ ପରିବାରକୁ ଘର ଦିଆଯିବା ନେଇ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୬୬ ପରିବାର ଅଯୋଗ୍ୟ ଥିବା ବିଜେପି ଅଭିଯୋଗ କରିଛି । ଏହି ତାଲିକାରେ ଗୋଟିଏ ପରିବାରର ଏକାଧିକ ଲୋକ ରହିବା ସହ ସମିତିସଭ୍ୟ ମଧ୍ୟ ସାମିଲ ଅଛନ୍ତି । ଏନେଇ ମଧ୍ୟ ବିଜେପି ଅଭିଯୋଗ କରିଛି ।

ବିଜେପି ଆହୁରି ମଧ୍ୟ ପ୍ରଶ୍ନ କରିଛି ଯେ, ମାହାଙ୍ଗା ବ୍ଲକ ମ‌ଉଦା ପଞ୍ଚାୟତରେ ୨୦୧୮-୧୯ରେ ଆବାସ ଯୋଜନା ପାଇଁ ଅଯୋଗ୍ୟ ଥିବା ୧୫ଟି ପରିବାର୨୦୧୯-୨୦ରେ ଯୋଗ୍ୟ ହେଲେ କେମିତି ? ଫୋନି ପରେ ୧୯ ଜୁଲାଇରେ ୩ ଲକ୍ଷ ୮୯ହଜାର ଲୋକଙ୍କୁ ପକ୍କା ଘର ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ପରେ ୧୪ ଅକ୍ଟୋଵରରେ ୧୨ ଲକ୍ଷ ୭୫ ହଜାର ଲୋକଙ୍କୁ ଘର ଦେବାକୁ ଚିଠି ଲେଖିଲେ । ରାଜ୍ୟ ସରକାର, ବିଜେଡ଼ି କର୍ମୀ ଓ ଦଲାଲଙ୍କୁ ଘର ଦେବାକୁ ଏହି ସଂଖ୍ୟା ବଢାଇଲେ ବୋଲି ବିଜେପି ଅଭିଯୋଗ କରିଛି । ୧୦ ଲକ୍ଷ ଅଯୋଗ୍ୟଙ୍କୁ ଆଵାସ ଯୋଜନାରେ ସାମିଲ କରିଛନ୍ତି ରାଜ୍ୟ ସରକାର ।

Spread the love