ଗରୀବ ବାସହୀନମାନଙ୍କୁ ଗୋଟିଏ ପରେ ଗୋଟିଏ ଦିବା ସ୍ୱପ୍ନ ଦେଖାଇ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର : ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାର ସର୍ବଦା ମିଛ ତଥ୍ୟ ଓ ବିଜ୍ଞାପନ ମାଧ୍ୟମରେ ନିରୀହ ଗରୀବ ହିତାଧିକାରୀଙ୍କୁ ବିଭ୍ରାନ୍ତ କରିବା ସହ ତାଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ କରୁଛନ୍ତି । ଗରୀବ ବାସହୀନମାନଙ୍କୁ ଗୋଟିଏ ପରେ ଗୋଟିଏ ଦିବା ସ୍ୱପ୍ନ ଦେଖାଇ ପ୍ରତାରଣା କରୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ବର୍ତମାନ ସୁଦ୍ଧା ଅପାରଗ ରାଜ୍ୟ ସରକାର ସଂପୂର୍ଣ୍ଣ ହିତାଧିକାରୀ ତାଲିକା ପ୍ରସ୍ତୁତ କରିପାରିନାହାନ୍ତି । ରାଜ୍ୟ ସରକାର ସର୍ବପ୍ରଥମେ ୨୭,୪୯,୬୧୭ ହିତାଧିକାରୀଙ୍କ ତାଲିକା ଘୋଷଣା କରିଥିଲେ । ପ୍ରମୁଖ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ଦଳୀୟ ଭିତିରେ ପ୍ରସ୍‌ୁତ ହୋଇଥିବା ଏହି ତାଲିକାକୁ ବିରୋଧ କରିଥିଲା । ଚାପର ବଶବର୍ତୀ ହୋଇ ରାଜ୍ୟ ସରକାର ଏହାର ତଦନ୍ତ କରିବା ପରେ ଏହି ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବାର ସ୍ପଷ୍ଟ ହୋଇଥିଲା । ତଦନ୍ତ ପରେ ୧୩,୬୫,୦୨୫ ଅଯୋଗ୍ୟ ଥିବାର ଜଣାପଡିବା ପରେ ପୁନଃ ତାଲିକା ପ୍ରସ୍ତୁତ କରି ଡିସେମ୍ବର ୩୧ ତାରିଖ ସୁଦ୍ଧା ନୂତନ ତାଲିକା କରାଯିବ ବୋଲି କହିଥିଲେ । ପରବର୍ତୀ ସମୟରେ ଏହାକୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ମାତ୍ର ବର୍ତମାନ ସୁଦ୍ଧା ଏହି ତାଲିକା ପ୍ରସ୍ତୁତ କରାଯାଇନାହିଁ । ଏପରିକି ରାଜ୍ୟରେ ୪୩ହଜାର ଭୂମିହୀନଙ୍କୁ ଘରଡିହ ପ୍ରଦାନ କରାଯାଇନାହିଁ । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ଆଗାମୀ ୩ ବର୍ଷରେ ରାଜ୍ୟରେ ୨୦ଲକ୍ଷ ବିଜୁ ପକ୍କା ଘର ଯୋଗାଇ ଦେବାର ଘୋଷଣା କରି ରାଜ୍ୟବାସୀଙ୍କୁ ପୁଣି ଥରେ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛନ୍ତି । କୈାଣସି ଆଧାର ନଥାଇ ରାଜ୍ୟ ସରକାର କିପରି ୨୦ ଲକ୍ଷ ପକ୍କାଘର ବୋଲି ଜାଣିଲେ ବୋଲି ପ୍ରଶ୍ନ କରିବା ସହ ମନ୍ତ୍ରୀଙ୍କ ସରକାରଙ୍କ ଏହି ଘୋଷଣା ସାଧାରଣ ଓଡିଶାବାସୀଙ୍କୁ ‘ଡହଡହ ଖରାବେଳେ ଲଣ୍ଠନ ଦେଖାଇବା’ ସଦୃଶ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତକାଲି ରାଜ୍ୟ ସରକାର ଘୋଷଣା କରିଥିବା ୨୦ଲକ୍ଷର ହିତାଧିକାରୀ ତାଲିକାକୁ ତୁରନ୍ତ ସାର୍ବଜନୀନ କରିବା ସହ କେଉଁ ଯୋଜନାରେ କେତେ ସଂଖ୍ୟାରେ ବିଜୁ ପକ୍କା ଘର ନିର୍ମାଣ କରିବେ, ତାହା ସ୍ପଷ୍ଟ କରନ୍ତୁ । ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ଖଣିଜ ପାଂଠି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଂଠିରେ ଥିବା ବାସଗୃହ ସଂଖ୍ୟାର ତାଲିକା ପୃଥକ
ପୃଥକ ପ୍ରକାଶ କରନ୍ତୁ । ଜିଲ୍ଲା ୱାରି ସଠିକ୍ ତାଲିକା ପ୍ରସ୍ତୁତ କରାଯାଇ ହିତାଧିକାରୀଙ୍କ ନାମ ପ୍ରତି ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ କରାଯାଉ । ଯେପରି ଜଣେ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଏହି ଚୁଡାନ୍ତ ତାଲିକାରୁ ବାଦ୍ ନପଡନ୍ତି, ସେଥିପାଇଁ ଗୁରୁତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।
ରାଜ୍ୟ ସରକାର ୨୦ଲକ୍ଷ ବିଜୁ ପକ୍କାଘର ଦେବା ପାଇଁ ଯେଉଁ ମିଥ୍ୟା ଆସ୍ପାଳନ ଦେଖାଇଛନ୍ତି, ତାହା ସଂପୂର୍ଣ୍ଣ ବିଭ୍ରାନ୍ତକର । ଯଦି ସତରେ ରାଜ୍ୟ ସରକାରଙ୍କର ଏହା ଏକ ନିଷ୍ପତି, ତେବେ ଏହା ପାଇଁ ୪୦ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ ଘୋଷଣା କରିବାକୁ ସରକାରଙ୍କୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହାଉସିଂଗ ଫର ଅଲ୍‌’କୁ ବାସ୍ତବ ରୂପ ଦେବା ପାଇଁ ୨୦୨୨ ମସିହା ସୁଦ୍ଧା ଦେଶରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବାର ଐତିହାସିକ ଘୋଷଣା କରିଛନ୍ତି । କେନ୍ଦ୍ରୀୟ ସହାୟତାରେ ନିର୍ମାଣ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପରିବର୍ତନ କରି ନିଜସ୍ୱ ନାମରେ ନାମକରଣ କରିବା ଗଣତନ୍ତ୍ର ବିରୋଧୀ ଏବଂ ଏହା ଦ୍ୱାରା ସଂଘୀୟ ବ୍ୟବସ୍ଥାକୁ ଅସମ୍ମାନ କରାଯାଉଛି । ଏହାକୁ ବରଦାସ୍ତ କରାଯିବ ନାହିଁ । ନାମକରଣ ରାଜନୀତି ନକରି ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି । ନଚେତ୍ ଆଗାମୀ ଦିନରେ ବଡ ରାଜନୈତିକ ଆନ୍ଦୋଳନ ହେବ ବୋଲି ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ଉପସ୍ଥିତ ଥିଲେ ।

Spread the love