କଣ୍ଟେନର ପଛକୁ ପିଟିଲା ଡମ୍ଫର୍, ତିନି ଘଣ୍ଟା ପରେ ଉଦ୍ଧାର ହେଲେ ମୃତ ଡ୍ରାଇଭର

ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥ କଟି ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆସାମରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏ ଏସ ୦୧ଏନ୍ ସି ୦୯୮୯ ଡମ୍ଫର ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏମଏଚ୧୨ ଟି ଭି ୬୦୨୩ କଣ୍ଟେନର ପଛପଟେ ଧକ୍କା ଦେଇଥିଲା। ଫଳରେ ଡମ୍ଫର୍ ଡ୍ରାଇଭର ଗାଡ଼ିର କେବିନ୍ ରେ ଚାପି ହୋଇଥିଲେ। ଖବର ପାଇ ପୁଲିସ, ଜାତୀୟ ରାଜପଥ ପାଟ୍ରୋଲିଂ ଭ୍ୟାନ ସହିତ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ତିନି ଘଣ୍ଟା ଉଦ୍ଧାର କାର୍ଯ୍ୟ ଜାରି ରଖି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଡ୍ରାଇଭରକୁ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡ୍ରାଇଭର ଦୀର୍ଘ ସମୟ ଧରି ଚାପି ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ଆଜି ସକାଳ ପାଞ୍ଚଟା ସମୟରେ ଘଟିଥିବା ଜଣାଯାଇଛି। ଡ୍ରାଇଭରକୁ ନିଦ ଲାଗିବାରୁ ଗାଡ଼ିର ମାଲିକ ଗାଡ଼ିକୁ ଚଲାଇ ଏହି ଦୁର୍ଘଟଣା ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।

Spread the love