ଆର୍‌ଏସ୍‌ପିରେ ଦୁର୍ଘଟଣା: ଠିକାକର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଦୁର୍ଘଟଣା ଘଟି ଜଣେ ଠିକାକର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଗତକାଲି ଅପରାହ୍ନ ସାଢ଼େ ୩ଟାରେ ଆର୍‌ଏସ୍‌ପିର ୱାଟର ପ୍ୟୁରିଫିକେସନ୍‌ ପ୍ଲାଣ୍ଟରେ କାମ କରିବାକୁ ସେ ସିଢ଼ିରେ ଚଢ଼ୁଥିଲେ। ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଓ ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ବନ୍ଧମୁଣ୍ଡାର ଏମ୍‌. ଆପ୍ପା ରାଓ (୫୬)। ସେ ଅରୋବିନ୍ଦ ଇଣ୍ଟରପ୍ରାଇଜେସ୍‌ ଅଧୀନସ୍ଥ ଆର୍‌.ପି.ଏଣ୍ଟରପ୍ରାଇଜେସ୍‌ରେ ଠିକାକର୍ମଚାରୀଭାବେ କାମ କରୁଥିଲେ। ପ୍ରତିଦିନ ପରି ଗତକାଲି ଅପରାହ୍ନ କାମ କରୁଥିବାବେଳେ ଏହି ଅଘଟଣ ଘଟିଥିଲା। ଆପ୍ନା ରାଓଙ୍କ ମୃତ୍ୟୁକୁ ନେଇ ଶ୍ରମିକ ସଙ୍ଗଠନ ମହଲରେ ଶୋକର ଛାୟା ଖେଳିଯାଇଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦାବି ହୋଇଛି।

Spread the love