ଦୁଇ ବାଇକ୍ ଆରୋହୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରେଲର

ବଣାଇଁ: ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅଧୀନ ବାରକୋଟ ରାଜାମୁଣ୍ଡା ୧୪୩ ନମ୍ୱର ଜାତୀୟ ରାଜପଥର ଗମଲେଇ ଛକନିକଟରେ ଏକ ଟ୍ରେଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ଟିକ୍ରାପୋଷ ଗ୍ରାମର ଲକ୍ଷ୍ମୀଧର କିସାନ(୩୪) ଏବଂ ଝସକେତନ କିସାନ(୪୭) ଏକ ବାଇକ୍‌ରେ ଗମଲେଇ ସାପ୍ତାହିକ ହାଟକୁ ଛେଳି କିଣିବାକୁ ଯାଉଥିଲେ । ଏହି ସମୟରେ ପଛପଟୁ ଲୁହାବିମ୍ ବୋଝେଇ ହୋଇଥିବା ଏକ ଟ୍ରେଲର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ଟ୍ରେଲରଟି ସେମାନଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା । ଲହୁଣୀପଡ଼ା ପୁଲିସ ପହଞ୍ଚି ଉଭୟଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Spread the love