ବାଇକ୍‌ରେ ରାସ୍ତା ପାର ହେଉଥିଲେ, ପିଟିଲା ବସ୍‌, ପୁଅ ମୃତ ମାଆ ଗୁରୁତର

ଯାଜପୁର, ୨୮/୦୯: ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ରାସ୍ତା ପାର ହେଉଥିବା ସମୟରେ ବାଇକକୁ ଧକ୍କା ଦେଲା ବସ୍। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ବସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତ ଯୁବକ ଓ ଆହତ ମହିଳା ଉଭୟେ ମା ପୁଅ ହୋଇଥିବା ବେଳେ ଏମାନଙ୍କ ଘର ଜେନାପୁର ଥାନା ବରଡ଼ା ଗ୍ରାମରେ ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍ ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଦୁର୍ଘଟଣା ଘଟାଇ ବସର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ମୁତାବକ ଆଜି ସନ୍ଧ୍ୟାରେ ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟ ସୋନାଲିକା ଟ୍ରାକ୍ଟର ସୋରୁମ୍ ସମ୍ମୁଖରେ ଦୁଇ ଜଣ ବାଇକ୍ ଆରୋହୀ ରାସ୍ତା ପାର ହେଉଥିଲା। ଏହି ସମୟରେ କଟକ ପଟୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଏହି ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀ ମା ପୁଅ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ମାଆଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Spread the love