୪ ଅସହାୟ ଭଉଣୀଙ୍କୁ ସାହାଯ୍ୟ କଲେ ଡ. ଅଚ୍ୟୁତ ସାମନ୍ତ

ପୁରୀ ଜିଲ୍ଲା ରଘୁରାଜପୁରର ୪ ଅସହାୟ ଭଉଣୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିଲେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଡ. ସାମନ୍ତଙ୍କ ପୁରୀ ଗସ୍ତ ଅବସରରେ ସ୍ୱର୍ଗତ ଲକ୍ଷ୍ମୀଧର ମହାପାତ୍ରଙ୍କ ବଡ଼ ଝିଅ ରମାମଣୀ ମହାପାତ୍ର ଓ ଅନ୍ୟ ତିନି ଭଉଣୀଙ୍କୁ ସେମାନଙ୍କ ଘରେ ଭେଟିଥିଲେ। ସେମାନଙ୍କ ପାଠପଢ଼ା ସହ ଅନ୍ୟାନ୍ୟ ଭଲମନ୍ଦ ପଚାରି ବୁଝିଥିଲେ। ବଡ଼ ଭଉଣୀ ରମାମଣୀ ଇତି ମଧ୍ୟରେ ‘ସମ୍ମାନ’ ସହ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇସାରିଥିବା ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା।

ଅନ୍ୟ ଭଉଣୀଙ୍କ ମଧ୍ୟରୁ ଜଣେ ଯୁକ୍ତ ୩ ଓ ଅନ୍ୟ ଜଣେ ଆଇଟିଆଇ ଶିକ୍ଷାଲାଭ କରୁଛନ୍ତି। ଅତି ଶୃଙ୍ଖଳାର ସହ ୪ ଜଣ ଯାକ ଭଉଣୀ ରହୁଥିବା ଦେଖି ଡ. ସାମନ୍ତ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଏକ ଘର ମିଳିଥିବା ସେମାନେ ଡ. ସାମନ୍ତଙ୍କ ନିକଟରେ ପ୍ରକାଶ କରିଥିଲେ। ଏହି ଘରଟିର ଛାତ ପଡ଼ିବା ସହ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି।

ଘରଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ଡ. ସାମନ୍ତ, ରମାମଣୀଙ୍କୁ ଆଜି ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା କହିଛନ୍ତି, ଜଣେ ଯେତେ ଗରିବ ଓ ନିରାଶ୍ରୟ ହେଲେ ମଧ୍ୟ ସେମାନଙ୍କ ନିକଟରେ ଠିକ୍‌ ଭାବେ ଯଦି ଶିକ୍ଷା ପହଞ୍ଚାଇ ଦିଆଯାଏ, ସେମାନେ ମଧ୍ୟ ସମାଜରେ ଦୃଢ଼ ଭାବେ ମୁଣ୍ଡ ଟେକି ଠିଆ ହୋଇପାରିବେ। ଅସମୟରେ ସହାୟତାର ହାତ ବଢାଇଥିବାରୁ ୪ ଭଉଣୀ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ ଓ କିସ ଫାଉଣ୍ଡେସନ ପ୍ରତି କୃତଜ୍ଞତା ଜଣାଇଥିଲେ। ଏହାସହ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସି ପ୍ରଶଂସା କରାଯାଇଛି।

୨୦୧୮ ମସିହାରେ ବାପା ମାଆ ହରାଇ ଅନାଥ ହୋଇଥିବା ୪ ଭଉଣୀଙ୍କ ଅସହାୟତା ବିଷୟ ଡ. ସାମନ୍ତଙ୍କ ନଜରକୁ ଆସିବା ପରେ ଡ. ସାମନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କ ଅସୁବିଧା ହୃଦୟଙ୍ଗମ କରି ଡ. ସାମନ୍ତ ସେମାନଙ୍କୁ ସେତେବେଳେ ନଗଦ ୨୦ ହଜାର ଟଙ୍କା ଓ ସେମାନଙ୍କ ପାଠ ପଢିବା ଓ ଚଳିବା ପାଇଁ କିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ମାସିକ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ। ଏଭଳି ପରିସ୍ଥିତିରେ ସେମାନେ ଭାଙ୍ଗି ନପଡ଼ି ପାଠ ପଢିବା ଜାରି ରଖିବା ପାଇଁ ଡ. ସାମନ୍ତ ସେତେବେଳେ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ୧୦ବର୍ଷ ତଳେ ସେମାନଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୨୦୧୮ରେ ସେମାନଙ୍କ ବାପା ଲକ୍ଷ୍ମୀଧର ମହାପାତ୍ରଙ୍କ ମୃତ୍ୟୁ ଘଟିଥିଲା।

Spread the love