କୋରାପୁଟ ଝିଅ ନମିତାଙ୍କ ସ୍ବପ୍ନ ପୂରଣ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର, ପ୍ରତ୍ୟେକ ଗାୟକ ଗାୟିକାଙ୍କର ସ୍ବପ୍ନ ଥାଏ ସେ ଭଜନ, ଆଲବମ କି ସିନେମାରେ ଗୀତ ଗାଇବେ। ହେଲେ ସମସ୍ତଙ୍କ ଭାଗ୍ୟରେ ସେ ସୁଯୋଗ ଜୁଟେନାହିଁ। ଅଧିକାଂଶ କ୍ଷେତ୍ରରେ ବଣମଲ୍ଲୀ ବଣରେ ଫୁଟି ବଣରେ ଝରିଯିବା ପରି ଅନେକ ପ୍ରତିଭା ପରଦା ଆଢୁଆଳରେ ରହିଯାନ୍ତି। ହେଲେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି ଆଉ ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।


କିଛିଦିନ ତଳେ ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡାର ଗାଁର ଆଦିବାସୀ ଝିଅ ନମିତା ମେଲେକା ସୋସିଆଲ ମିଡ଼ିଆରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ। ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ନିଜ ଫେସବୁକ ପେଜରେ ଘୋଷଣା କରିଥିଲେ। କଥା ରଖିଛନ୍ତି ବର୍ଷା। ଆଜି ନମିତାଙ୍କ କଣ୍ଠରେ ରେକର୍ଡ କରାଯାଇଛି ତାଙ୍କର ପ୍ରଥମ ଗୀତ। ଲୋକପ୍ରିୟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ୱାବଧାନରେ ରେକର୍ଡ କରାଯାଇଥିବା ଏହି ଗୀତଟି ହେଉଛି ଗୋଟିଏ ଜଗନ୍ନାଥ ଭଜନ।ବରିଷ୍ଠ ଗୀତିକାର ବିଜୟ ମଲ୍ଲ ଏହାକୁ ରଚନା କରିଛନ୍ତି।କଟକର ସିଡିଏ ସ୍ଥିତ ପ୍ରତିଭା ଷ୍ଟଡିଓରେ ରେକର୍ଡ଼ିଂ କରାଯାଇଛି। ରେକର୍ଡିଷ୍ଟ ସୁନ୍ଦର ଥିବା ବେଳେ ପରିଚାଳନା ଓ ବ୍ୟବସ୍ଥାପନାରେ ସହାୟତା କରିଛନ୍ତି ବ୍ୟୁଟିଫୁଲ ଦାସ। ଏହି ଅବସରରେ ବର୍ଷା ନମିତାଙ୍କ ଗାୟିକା ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ‘ସମ୍ମାନିତା’ ପକ୍ଷରୁ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଗୀତିକାର ବିଜୟ ମଲ୍ଲ, ରେକର୍ଡିଷ୍ଟ ସୁନ୍ଦର ଏବଂ ବ୍ୟୁଟିଫୁଲ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ।

Spread the love