ଏଡିଆର୍‌ ରିପୋର୍ଟ ୨୦୨୧-୨୨: ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି

ଭୁବନେଶ୍ବର: ରାଜନୈତିକ ଦଳଗୁଡ଼ିକ କେଉଁଠୁ ଚାନ୍ଦା ପାଆନ୍ତି? କିଏ କେତେ ଟଙ୍କା କେଉଁ ଦଳକୁ ଦେଇଛି? ଏଭଳି ପ୍ରଶ୍ନର ଉତ୍ତର ପାଇବା ଲାଗି ଲୋକଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଥାଏ। ଏଭଳି ସ୍ଥିତିରେ ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଆଞ୍ଚଳିକ ଦଳଗୁଡ଼ିକର ପାଣ୍ଠି ଉତ୍ସ ସଂପର୍କରେ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ କରାଯାଇଛି। ନିର୍ବାଚନ କମିସନଙ୍କ ନିକଟରେ ରାଜନୈତିକ ଦଳଗୁଡ଼ିକ ଦାଖଲ କରିଥିବା ତଥ୍ୟ ଏବଂ ଅଡିଟ୍‌ ରିପୋର୍ଟରୁ ଜଣାଯାଇଛି ଯେ ସେମାନଙ୍କ ଆୟର ସିଂହଭାଗ ମୁଖ୍ୟତଃ ଅଜଣା ସୂତ୍ରରୁ ଆସିଛି।
ରିପୋର୍ଟରୁ ଜଣାଯାଇଛି ଦେଶର ୨୭ଟି ଆଞ୍ଚଳିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୧୬୫.୫୭୬ କୋଟି ଟଙ୍କା ପାଇଛନ୍ତି। ତେବେ ଏଥିରୁ ଦାତାଙ୍କ ସଂପର୍କରେ ତଥ୍ୟ ଥିବା ସୂତ୍ରରୁ ମାତ୍ର ୧୪୫.୪୨ କୋଟି ଟଙ୍କା ବା ୧୨.୪୭୬ ପ୍ରତିଶତ ଆସିଛି। ଅନ୍ୟ ଜଣା ଉତ୍ସରୁ ଯଥା ସଦସ୍ୟତା ଫି, ବ୍ୟାଙ୍କ ସୁଧ ଆଦି ବାବଦରେ ୧୩୨.୬୦୫ କୋଟି ବା ୧୧.୩୭୭ ପ୍ରତିଶତ ଆସିଛି। ଏହି ଦୁଇଟି ଜଣା ଉତ୍ସରୁ ୨୩.୮୫୩ ପ୍ରତିଶତ ଆସିଛି। ଅବଶିଷ୍ଟ ୮୮୭.୫୫୧ କୋଟି ଟଙ୍କା ବା ମୋଟ ଆୟର ୭୬.୧୪୭ ପ୍ରତିଶତ ଅଜଣା ସୂତ୍ରରୁ ଆସିଛି। ଆଞ୍ଚଳିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ପାଇଥିବା ୮୮୭.୫୫୧ କୋଟି ଟଙ୍କା ମଧ୍ୟରୁ ନିର୍ବାଚନୀ ବଣ୍ଡ୍‌ ଜରିଆରେ ୯୩.୨୬ ପ୍ରତିଶତ ବା ୮୨୭.୭୬ କୋଟି ଟଙ୍କା ପାଇଛନ୍ତି। ଏଥିସହିତ କୁପନ ବିକ୍ରି କରି ୪.୩୨ ପ୍ରତିଶତ ବା ୩୮.୩୫୪ କୋଟି ଟଙ୍କା, ସ୍ବେଚ୍ଛାକୃତ ଦାନ (୨୦ ହଜାର ଟଙ୍କାରୁ କମ୍‌) ବାବଦରେ ୨.୪୦ ପ୍ରତିଶତ ବା ୨୧.୨୯୩ କୋଟି ଟଙ୍କା ଏବଂ ବିବିଧ ଆୟ ବାବଦରେ ୦.୧୪୪ କୋଟି ବା ୦.୦୨ ପ୍ରତିଶତ ପାଇଛନ୍ତି।

ଅଜଣା ସୂତ୍ରରୁ ସର୍ବାଧିକ ଅର୍ଥ ପାଇଥିବା ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଡିଏମ୍‌କେ ଶୀର୍ଷରେ ଥିବାବେଳେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି। ଡିଏମକେ ୩୦୬.୦୨୫ କୋଟି ଟଙ୍କା ପାଇଥିବା ବେଳେ ବିଜେଡି ୨୯୧.୦୯୬ କୋଟି ଟଙ୍କା ପାଇଛି। ବିଜେଡି ପଛକୁ ଟିଆରଏସ୍‌ ୧୫୩.୦୩୭ କୋଟି, ୱାଇଏସ୍‌ଆର୍‌ କଂଗ୍ରେସ (୬୦.୦୧୬୮ କୋଟି ଏବଂ ଜେଡିୟୁ ୪୮.୩୬୧୭ କୋଟି ଟଙ୍କା ପାଇ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିଭଳି ଶିରୋମଣି ଅକାଳୀ ଦଳ ୧୨.୦୭୩୫ କୋଟି, ଏମଏନଏସ ୫.୦୪୫୪ କୋଟି, ଟିଡିପି ୩.୬୪୮୫, ସପା ୩.୫୪୭୭ କୋଟି ଏବଂ ଜେଏମଏମ ୨.୧୦୪ କୋଟି ଟଙ୍କା ପାଇ ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନ‌ ମଧ୍ୟରେ ରହିଛନ୍ତି।

ଏଡିଆର ରିପୋର୍ଟରୁ ଆହୁରି ଜଣାଯାଇଛି ବିଜେଡି ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୩୦୭.୨୮୮ କୋଟି ଟଙ୍କା ଆୟ କରିଛି। କିନ୍ତୁ ଏଥିରୁ ୯୪.୭୩ ପ୍ରତିଶତ ବା ୨୯୧.୦୯୬ କୋଟି ଟଙ୍କା ଅଜଣା ଉତ୍ସରୁ ସଂଗ୍ରହ କରିଛି। ଉକ୍ତ ବର୍ଷ ବିଜେଡି ଜଣାଥିବା ଉତ୍ସରୁ (ନିର୍ବାଚନ କମିସନଙ୍କୁ ଦାନର ବିସ୍ତୃତ ଘୋଷଣା ଦିଆଯାଇଥିବା)ରୁ କିଛି ମିଳି ନାହିଁ। କିନ୍ତୁ ଅନ୍ୟ ଜଣା ଉତ୍ସରୁ ବିଜେଡି ୧୬.୧୯୨ କୋଟି ଟଙ୍କା ପାଇଛି। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ ୩୧୮.୭୪୫ କୋଟି ଟଙ୍କା ଆୟ କରିଥିବା ଷ୍ଟାଲିନଙ୍କ ଡିଏମକେ ଅଜଣା ଉତ୍ସରୁ ମଧ୍ୟ ସବୁଠୁ ଅଧିକ ୩୦୬.୦୨୫ କୋଟି ବା ୯୬.୦୧ ପ୍ରତିଶତ ଅର୍ଥ ପାଇଛି। ବିଜେଡି ପଛକୁ ଟିଆର୍‌ଏସ୍‌ ୨୦୨୧-୨୨ରେ ୨୧୮.୧୧୨ କୋଟି ଟଙ୍କା ଆୟ କରିଥିବାବେଳେ ଏଥିରୁ ୭୦.୧୬ ପ୍ରତିଶତ ବା ୧୫୩.୦୩୭ କୋଟି ଟଙ୍କା ଅଜଣା ସୂତ୍ରରୁ ଆସିଛି।
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜାତୀୟ ଦଳଗୁଡ଼ିକର ମୋଟ ଆୟର ୬୬.୦୪ ପ୍ରତିଶତ ଅଜଣା ଉତ୍ସରୁ ଆସିଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏ କ୍ଷେତ୍ରରେ ଆହୁରି ଆଗରେ ଅଛନ୍ତି। ଚାନ୍ଦା ପ୍ରଦାନ କରୁଥିବା ବ୍ୟକ୍ତି ବା ସଂସ୍ଥା କିଏ ତାହା ଜଣାପଡ଼ୁ ନଥିବାରୁ ଏହାକୁ ସାଧାରଣରେ ଉପଲବ୍ଧ କରାଇବା ପାଇଁ ଏଡିଆର ପକ୍ଷରୁ କୁହାଯାଇଛି। ଭୁଟାନ, ନେପାଳ, ଜର୍ମାନୀ, ଫ୍ରାନ୍ସ, ଇଟାଲି, ବ୍ରାଜିଲ, ବୁଲଗେରିଆ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନରେ ଏଭଳି ତଥ୍ୟ ପାଇବା ସୁବିଧା ରହିଛି ବୋଲି କୁହାଯାଇଛି।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ୨୦ ହଜାର ଟଙ୍କାରୁ କମ୍ ଦାନ କରୁଥିବା ବ୍ୟକ୍ତି ବା ସଂସ୍ଥା ସଂପର୍କରେ ରାଜନୈତିକ ଦଳଗୁଡ଼ିକୁ ଉତ୍ସ ଜଣାଇବାର ଆବଶ୍ୟକତା ନାହିଁ। ଏହାଫଳରେ ସେମାନଙ୍କ ମୋଟ ଆୟର ମାତ୍ରାଧିକ ରାଶି ସଂପର୍କରେ ସୂଚନା ସଂଗ୍ରହ କରାଯାଇ ପାରୁନାହିଁ। ମୁଖ୍ୟ ନିର୍ବାଚନ କମିସନଙ୍କ ୨୦୧୩ ଜୁନ ମାସର ରାୟ ଅନୁଯାୟୀ, ଜାତୀୟସ୍ତରର ରାଜନୈତିକ ଦଳଗୁଡ଼ିକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରାଯାଇଛି। ତେବେ ସେମାନେ ସୂଚନା କମିସନଙ୍କର ସେହି ନିଷ୍ପତ୍ତିକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରିନାହାନ୍ତି। ତେଣୁ ରାଜନୈତିକ ଦଳଗୁଡ଼ିକର ଆୟରେ ସ୍ବଚ୍ଛତା ରହୁନାହିଁ। ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରାଗଲେ ଏ କ୍ଷେତ୍ରରେ ସ୍ବଚ୍ଛତା ଆସିବ ବୋଲି ଆଶା କରାଯାଉଛି। ଏଡିଆର ପକ୍ଷରୁ ଆଞ୍ଚଳିକ ଦଳଗୁଡ଼ିକର ଆୟ ସଂପର୍କରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ସେମାନଙ୍କର ଆୟକୁ ମୁଖ୍ୟତଃ ତିନିଟି ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଜଣା ସୂତ୍ର, ଅନ୍ୟ ଜଣା ସୂତ୍ର ଏବଂ ଅଜଣା ସୂତ୍ର। ୨୦ ହଜାର ଟଙ୍କାରୁ କମ୍ କିମ୍ବା ଅଧିକ ଚାନ୍ଦା ଦେଇଥିବା ବ୍ୟକ୍ତି କିମ୍ବା ସଂସ୍ଥା ଯେଉଁମାନଙ୍କର ବିସ୍ତୃତ ରିପୋର୍ଟ ନିର୍ବାଚନ କମିସନଙ୍କୁ ପ୍ରଦାନ କରାଯାଇଛି ତାହାକୁ ଜଣା ସୂତ୍ରର ଆୟ ଆଖ୍ୟା ଦିଆଯାଇଛି।

Spread the love