ଆଜିଠୁ ମିଳିବ ଆଡ଼ପ ଅବଢ଼ା, ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ୧୪।୦୭: ଆଜିଠୁ ମିଳିବ ଆଡ଼ପ ଅବଢ଼ା । ଦକ୍ଷିଣ ଓ ଉତ୍ତରଦ୍ବାରରେ ସ୍ବତନ୍ତ୍ର ସେଡ୍ ବ୍ୟବସ୍ଥା ହୋଇଛି । ୨ଟି କାଉଣ୍ଟରରେ ଅବଢ଼ା ମିଳିବ । ଗୋଟିଏ ବସ ଷ୍ଟାଣ୍ଡ ନିକଟରେ ଅନ୍ୟଟି ନୃସିଂହ ମନ୍ଦିର ସମ୍ମୁଖରେ ରହିଛି କାଉଣ୍ଟର । ଶ୍ରୀ ମନ୍ଦିର ଗାଇଡ଼ଲାଇନ ଅନୁସାରେ ଶ୍ରୀ ମନ୍ଦିର ଦର ନିର୍ଦ୍ଧାରଣ କରାଯିବ । ଆଜିଠୁ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କଠାରେ ଷାଠିଏ ପଉଟି ଭୋଗ ଲାଗି ହେବ। ତେଣୁ ଆଜିଠୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାରେ ମହାପ୍ରସାଦ ରନ୍ଧା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ଷକୁ ଥରେ ମିଳୁଥିବା ଏହି ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଧାଡ଼ିରେ ଆସି ମହାପ୍ରସାଦ ନେବା ପାଇଁ ସେଡ୍ ବ୍ୟବସ୍ଥା କରାଯାଇଛି।

ସେହିପରି ଭକ୍ତଙ୍କୁ ସୁବିଧାରେ ମହାପ୍ରସାଦ ଦେବା ପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଛି। ସୁଆର ମହାସୁଆର ନିଯୋଗକୁ ଏହି ଦାୟିତ୍ବ ଦିଆଯାଇଛି। ସୁଆର ମହାସୁଆର ନିଯୋଗ ଭକ୍ତଙ୍କଠାରୁ ଟଙ୍କା ନେଇ ଟୋକନ୍ ଯୋଗାଇ ଦେବ। ଏଥିପାଇଁ ଦୁଇ ଦ୍ବାରରେ ଦୁଇଟି କାଉଣ୍ଟର୍ କରାଯାଇଛି। ଭକ୍ତମାନେ ଏହି ସେଡ୍ ରେ ଟୋକନ୍ ଧରି ଅପେକ୍ଷା କରିବେ। ମହାପ୍ରସାଦ ଆସିବା ପରେ ସୁଆରମହାସୁଆର ନିଯୋଗର ସଦସ୍ୟଙ୍କୁ ଟୋକନ୍ ଦେଖାଇ ନେଇ ପାରିବେ।

Spread the love