ଭଦ୍ରକରେ ଏଡିଜି ଯଶୱନ୍ତ ଜେଠୱା, ସମ୍ଭାବ୍ୟ ବାତ୍ୟା ମୁକାବିଲା ପରିଚାଳନାର କଲେ ସମୀକ୍ଷା

ଭଦ୍ରକ ୨୪।୫: ସମ୍ଭାବ୍ୟ ବାତ୍ୟା ‘ୟସ୍’ ର ମୁକାବିଲା ପାଇଁ ଭଦ୍ରକରେ ୪ ଗୋଟି ଏନଡିଆରଏଫ ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ହେବା ପରେ ସୋମବାର ୪ ଗୋଟି ଓଡ୍ରାଫ ଟିମ୍ ଭଦ୍ରକ ଜିଲ୍ଲା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆସି ପହଞ୍ଚିଛନ୍ତି । ତେବେ ଓଡ୍ରାଫ ଟିମ୍ କିପରି ପ୍ରଶାସନ ପୋଲିସ ଏନଡିଆରଏଫ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିପାରିବ ଓ ବାତ୍ୟା ମୁକାବିଲା ପାଇଁ କେତେ ପ୍ରସ୍ତୁତ ଅଛନ୍ତି, ଭଦ୍ରକରେ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ଯଶୱନ୍ତ ଜେଠୱା ପହଞ୍ଚି ସମୀକ୍ଷା କରିଛନ୍ତି । ତେବେ ଭଦ୍ରକ ଜିଲ୍ଲାର ୫୪ କିଲୋମିଟର ସମୁଦ୍ର ଉପକୂଳରେ ଥିବା ୫ଟି ଥାନା, ୩ଟି ମେରାଇନ ଥାନା ଅଧୀନରେ ଥିବା ୧୪ଗୋଟି ପଞ୍ଚାୟତର ୪୧ ଗୋଟି ଗ୍ରାମର ୯୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ଅଣାଯାଇପାରିବ, ସେଥିପାଇଁ ଓଡ୍ରାଫ ଓ ପୋଲିସ ମିଳିତ ଭାବେ କାର୍ଯ୍ୟ କରିବ । ଏପରିକି ବାତ୍ୟା ମୁକାବିଲା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବେ । ଏହି ଟିମ ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଓ ବାତ୍ୟା ପରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି ଭାବେ ଏହି ଓଡ୍ରାଫ ଟିମ୍ ପାଖରେ ଅତ୍ୟାଧୁନିକ ପାୱାର ବୋଟ୍, କଟର ମେସିନ, ଟାୱାର ଲାଇଟ, ସାଟେଲାଇଟ ଫୋନ୍ ମହଜୁଦ ରଖାଯାଇଛି । ଯେକୌଣସି ପରିସ୍ଥିତିରେ ଏହି ଓଡ୍ରାଫ ଟିମ୍ ଲୋକମାନଙ୍କୁ ଉଦ୍ଧାର କରି ପାରିବ, ଏହି ଉଦ୍ଧାର କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି ବୋଲି ଜଶଓ୍ବନ୍ତ ଜେଠୱା ସୂଚନା ଦେଇଛନ୍ତି ।

Spread the love