ଆଦିବାସୀ ହଷ୍ଟେଲ୍‌ ନିମନ୍ତେ ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ସର୍ବପ୍ରଥମ ରାଜ୍ୟ

 ଆଦିବାସୀ ହଷ୍ଟେଲ ନିମନ୍ତେ ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ସର୍ବପ୍ରଥମ ରାଜ୍ୟ
 ଓଡ଼ିଶାର ୪୪ଟି ଆଦିବାସୀ ହଷ୍ଟେଲକୁ ଆଇ.ଏସ୍‌.ଓ ୯୦୦୧ : ୨୦୧୫ ମାନ୍ୟତା ପ୍ରଦାନ
 ମିଶନ ସୁବିଦ୍ୟାର ଅଂଶ ଭାବେ ମାନ୍ୟତା ପାଇବା ପରେ ଶିକ୍ଷାର ମାନ ଓ ଗୁଣବତ୍ତାର ମୂଲ୍ୟାଙ୍କନ
 ପ୍ରଥମ ପର୍ଯ୍ୟାୟରେ କେଉଁଝର ଓ ସମ୍ବଲପୁରର ସମସ୍ତ ହଷ୍ଟେଲର କାର୍ଯ୍ୟଧାରା ସମୀକ୍ଷା
ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ମିଶନ ସୁବିଦ୍ୟା’ ଆରମ୍ଭ  କରାଯାଇଛି । ରାଜ୍ୟର ସମସ୍ତ ଆଦିବାସୀ ହଷ୍ଟେଲରେ ସମାନ ଧରଣର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ମାନବସମ୍ବଳ ସୃଷ୍ଟି ଏହାର  ମୁଖ୍ୟ ଉଦ୍ଦେଶ୍ୟ । କ୍ୱାଲିଟି କଣ୍ଟ୍ରୋଲ ଅଫ୍‌ ଇଣ୍ଡିଆର ସହାୟତାରେ, ଏସ୍‌.ଟି.ଏସ୍‌.ସି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ସମସ୍ତ ହଷ୍ଟେଲର  ବ୍ୟାପକ ଆକଳନ ଓ ମୂଲ୍ୟାୟନ କରାଯାଇଅଛି । ଆଇ.ଏସ୍‌.ଓ ୯୦୦୧ : ୨୦୧୫ ପ୍ରମାଣପତ୍ର ପ୍ରାପ୍ତି ନିମନ୍ତେ ହଷ୍ଟେଲଗୁଡ଼ିକର ଗୁଣାତ୍ମକ ମାନର ଉନ୍ନତିକରଣ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ କେଉଁଝର ଓ ସମ୍ବଲପୁର ଜିଲ୍ଲାର ସମସ୍ତ ହଷ୍ଟେଲର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଥିଲା ।  କେଉଁଝର ଜିଲ୍ଲାର ୧୫୬ଟି ହଷ୍ଟେଲ ମଧ୍ୟରୁ ୬୦ଟି ହଷ୍ଟେଲକୁ ମନୋନୀତ କରାଯାଇଥିଲା । ସେହିପରି ସମ୍ବଲପୁର ଜିଲ୍ଲାର ୯୦ଟି ହଷ୍ଟେଲ ମଧ୍ୟରୁ ୧୨ଟି ହଷ୍ଟେଲ ମନୋନୀତ ହୋଇଥିଲା ।
ସମ୍ବଲପୁର ଓ କେଉଁଝର ଜିଲ୍ଲାର ଜିଲ୍ଲାସ୍ତରୀୟ ଟିମ୍‌ର କଠିନ ପରିଶ୍ରମରେ ତିନିମାସ ସମୟ ଅବଧିରେ କ୍ୱାଲିଟି ମାନ୍ୟତା  ପାଇବାକୁ ଯୋଗ୍ୟ ବିବେଚିତ ହଷ୍ଟେଲଗୁଡ଼ିକୁ ଚୂଡ଼ାନ୍ତ କରିବା ନିମନ୍ତେ ସମସ୍ତ ଉଦ୍ୟମ କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ  ଲକ୍‌ ଡାଉନ୍‌ ପୂର୍ବରୁ ଏହି ମାନ୍ୟତା ପାଇଁ ହଷ୍ଟେଲ୍‌ଗୁଡ଼ିକର ମୂଲ୍ୟାଙ୍କନ ନିମନ୍ତେ ଅଡିଟ୍‌ ଟିମ୍‌ କେଉଁଝର ଜିଲ୍ଲା ୩୨ଟି ହଷ୍ଟେଲ ଓ  ସମ୍ବଲପୁରର ୧୨ଟି ହଷ୍ଟେଲ ପରିଦର୍ଶନ କରିଥିଲେ । ସମସ୍ତ ୪୪ ଟି ହଷ୍ଟେଲ  ଆସେସ୍‌ମେଣ୍ଟ ପାରାମିଟର କ୍ୱାଲିଫାଏ କରିଥିଲେ  ଏବଂ ଭାରତୀୟ ମାନକ ସଂସ୍ଥା ଦ୍ୱାରା ମାନକପ୍ରାପ୍ତ ପ୍ରମାଣପତ୍ର ପାଇବାର (ଆଇଏସ୍‌ଓ) ମାନ୍ୟତା ପାଇଥିଲେ । ଲକ୍‌ଡାଉନ୍‌ ଓ  କୋଭିଡ୍‌ ପରବର୍ତ୍ତୀ ସ୍ୱାଭାବିକ ଅବସ୍ଥା ଆସିବା ପରେ ଅବଶିଷ୍ଟ ୨୮ଟି ହଷ୍ଟେଲର ମାନର ମୂଲ୍ୟାୟନ କରାଯିବ । ଆଦିବାସୀ  ହଷ୍ଟେଲଗୁଡ଼ିକ ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

Spread the love