ମହାପ୍ରଭୁଙ୍କ ଯାତ୍ରାକୁ ନେଇ ପୁରୀରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ଓ ରଥଯାତ୍ରା ପାଇଁ ପ୍ରଶାସନିକସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଭକ୍ତଙ୍କ ସୁରକ୍ଷା ସହ ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ୱ ଦିଆଯାଇଛି । ଐତିହ୍ୟ କରିଡ଼ର ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଆସନ୍ତା ମେ ମାସ ଅଧା ବେଳକୁ କାମ ସମାପ୍ତ ହୋଇଯିବ ବୋଲି ଜିଲ୍ଲାପାଳ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଚଳିତ ମାସ ୨୩ ତାରିଖରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ । ଗତବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରାକୁ ଆହୁରି ଭଲଭାବେ କରିବା ପାଇଁ ପୁରୀ ପୋଲିସ ପ୍ରଶାସନିକସ୍ତରରେ ପ୍ରସ୍ତୁତି ହୋଇଛି ।

ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି । ଅକ୍ଷୟ ତୃତୀୟା ପାଇଁ ଚଳିତ ମାସ ୧୦ ତାରିଖରୁ ସେଡ ନିର୍ମାଣ ହେବ । ଶ୍ରୀସେତୁ ଅଞ୍ଚଳ ରାସ୍ତାକୁ ମୋଟରେବୁଲ କରାଯିବ । ସମଙ୍ଗ ମୌଜାରେ ୪୦ ଏକର ଜାଗାରେ ପାର୍କିଂ ଜୋନ କରାଯିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବା ପାଇଁ ଯାଉଥିବା ସେବାୟତ ମାନେ ନାଳ, ନର୍ଦ୍ଦମା ପାଣି ମାଡ଼ିଯିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ।

Spread the love