ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ପ୍ରକ୍ରିୟା ଜାରି, ୧୯ ତାରିଖ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ବର: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନାମଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁଧବାର ସନ୍ଧ୍ୟାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ତ୍ରିପାଠୀ କହିଛନ୍ତି, ଛାତ୍ରଛାତ୍ରୀମାନେ କମନ ୟୁନିଭରର୍ସିଟି ଏଣ୍ଟ୍ରାନ୍ସ ପରୀକ୍ଷା-୨୦୨୩ ମାଧ୍ୟମରେ ନାମ ଲେଖାଇପାରିବେ। ସେମାନେ ଅନ୍‌ଲାଇନ୍‌ରେ ‌ୱେବ୍‌ସାଇଟ୍‌ https://cuet.nta.nic.in ମାଧ୍ୟମରେ ଆବେଦନ କରିପାରିବେ। ଗତ ମାର୍ଚ୍ଚ ୨୦ ତାରିଖ ଠାରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଏହା ଆସନ୍ତା ୧୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ।

ଆବେଦନ ପାଇଁ ଶୁଳ୍କ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ,‌ ନେଟ୍‌ ବ୍ୟାଙ୍କିଂ ଓ ୟୁପିଆଇ ମାଧ୍ୟମରେ ଏପ୍ରିଲ ୧୯ ତାରିଖ ଦିନ ୧୧ଟା ୫୦ ପର୍ଯ୍ୟନ୍ତ କରି‌ହେବ। ସେହିପରି  ୱେବ୍‌ସାଇଟ୍‌ରେ ନିଶ୍ଚିତ ଆବେଦନ ଫର୍ମକୁ ଏପ୍ରିଲ ୨୦ରୁ ୨୩ ତାରିଖ ମଧ୍ୟରେ ସଂଶୋଧନ କରିପାରିବେ। ଏନ୍‌ଟିଏର ୱେବସାଇଟ୍‌ରୁ ଛାତ୍ରଛାତ୍ରୀ ସେମାନଙ୍କର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ପରୀକ୍ଷା ତାରିଖ ଓ ସମୟ ୱେବ୍‌ସାଇଟ୍‌ ଜରିଆରେ ସୂଚନା ପ୍ରଦାନ କରାଯିବ। ପ୍ରବେଶିକା ପରୀକ୍ଷା ସମୟ ୨ ଘଣ୍ଟା ରହିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଲୋକସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ୧୪ଟି ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ଏଥିରେ ୨ ବର୍ଷୀୟା ପାଠ୍ୟକ୍ରମ ଯଥା- ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ସମାଜଶାସ୍ତ୍ର, ଅର୍ଥନୀତି, ସାମ୍ବାଦିକତା ଓ ଗଣଯୋଗାଯୋଗ, ଏମ୍‌ଏସ୍‌ସି ଆଥ୍ରୋପୋଲୋଜି, ଏମ୍‌ଏସ୍‌ସି ବାଓଡାଇଭରସିଟି ଆଣ୍ଡ କଞ୍ଜରଭେସନ ଅଫ୍‌ ନେଚୁରାଲ ରିସୋର୍ସ, ଏମ୍‌ଏସ୍‌ସି ଷ୍ଟାଟିଷ୍ଟିକ୍‌, ଏମ୍‌ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ଏମ୍‌ବିଏ, ଏମ୍‌ଏସ୍‌ସି (ଏକ୍ସଜ୍ୟୁକେଟିଭ୍‌), ୨ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ବିଇଡି, ୫ ବର୍ଷୀୟା ଏମ୍‌ଏସ୍‌ସି ମେଥମେଟିକ୍ସ ଆଦି ପାଠ୍ୟକ୍ରମ ସାମିଲ ରହିଛି।

Spread the love