ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ୱର ୧୨।୧: ଓଡ଼ିଶା ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ୧୨ ଜାନୁୟାରୀ ବୁଧବାର ବିବେକାନନ୍ଦ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ‘ନୂଆ ଭାରତର ଯୁବ ଉତ୍ସାହ’ ଶୀର୍ଷକ କାର୍ଯ୍ୟକ୍ରମ ଭର୍ଚୁଆଲ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରକଳ୍ପ ନିର୍ଦ୍ଦେଶିକା ଡା. ଉର୍ମିଳା ମିଶ୍ର ଏଡସ୍‌ ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଛାତ୍ରଛାତ୍ରୀ ଓସାକ୍ସର ଅଗ୍ରଦୂତ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ।

ସେ କହିଛନ୍ତି ଯେ ଯୁବ ଶକ୍ତି ଏଡସ୍ ଭଳି ମହାମାରୀ ସହ ସଂଘର୍ଷ ଜାରି ରଖିଥିବା ବେଳେ କରୋନା ଭାଇରସ ମହାମାରୀ ଆହୁରି ସଚେତନ ହେବାକୁ ଶିକ୍ଷା ଦେଉଛି। ନୂଆ କିଛି ଜାଣିବାର ଉତ୍କଣ୍ଠା ଓ ସଠିକ ସୂଚନା ଲାଗି ବ୍ୟଗ୍ର ଯୁବ ବର୍ଗ ୧୦୯୭ ନିଶୁଳ୍କ ନମ୍ବରକୁ ଫୋନ କରି ଆଗେ ନିଜେ ସଚେତନ ହୁଅନ୍ତୁ ଓ ଅନ୍ୟ ଲାଗି ପଥ ଉନ୍ମୁକ୍ତ କରନ୍ତୁ ବୋଲି କହିଛନ୍ତି।

ଯୁବ  ପିଢୀହିଁ ପରିବର୍ତ୍ତନର ଆଧାର । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଙ୍ଗଠନ (ନାକୋ) ତତ୍ୱାବଧାନରେ ଓସାକ୍ସ ଦ୍ୱାରା ରେଡକ୍ରସ ସୋସାଇଟି ସହଯୋଗରେ ୬୪୦ଟି ରେଡ ରିବନ କ୍ଲବ ଖୋଲା ଯାଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଏଚଆଇଭି ଏଡସ୍ ପ୍ରତିରୋଧ ଓ  ନିୟନ୍ତ୍ରଣ ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଡା. ମିଶ୍ର କହିଛନ୍ତି।

ସେ କହିଛନ୍ତି ଯେ ଯୁବଗୋଷ୍ଠୀ ସଚେତନ ହେଲେ ଏଚଆଇଭି ଭଳି ସଂକ୍ରମଣ ରାଜ୍ୟରେ ପ୍ରଭାବ ବିସ୍ତାର କରିପାରିବ ନାହିଁ ଓ ଆମେ ୨୦୩୦ ସୁଦ୍ଧା ଏଡସ୍ ର ମୂଳୋତ୍ପଟନ ଲାଗି ଜାତିସଂଘଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ ହାସଲରେ ବିରାଟ ଯୋଗଦାନ ଦେଇପାରିବା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୋଷ୍ଟର ମଧ୍ୟରୁ ମନୋନୀତ ପୋଷ୍ଟରରେ ପ୍ରସ୍ତୁତ କ୍ୟାଲେଣ୍ଡରର ଉନ୍ମୋଚନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ୫ଟି ରାଜ୍ୟର ରେଡରିବନ କ୍ଲବ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Spread the love