ରନୱେରେ ଖସିଗଲା ବିମାନ ଚକ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ରିଓଡିଜେନେରିଓ: ରନୱେରେ ଖସିଗଲା ବିମାନ ଚକ | ଆଉ ଏହି ଦୃଶ୍ୟ ଜଣେ ଯାତ୍ରୀଙ୍କ କ୍ୟାମେରାରେ କଏଦ ହୋଇଗଲା | ବାସ୍ତବରେ ବ୍ରାଜିଲରେ ବୁଧବାର (ଜୁଲାଇ ୧୨) ରେ ଏହି ଘଟଣା ଘଟିଥିଲା, ଯେତେବେଳେ ଲଟମ ଏୟାରଲାଇନ୍ସର ବିମାନ ନମ୍ବର ଏଲଏ ୩୩୦୦, ସାଓ ପାଉଲୋ-ଗୁଆରୁଲହୋସ ବିମାନ ବନ୍ଦରରୁ ସକାଳ ପ୍ରାୟ ୯:୨୦ ସମୟରେ ଉଡ଼ାଣ ଆରମ୍ଭ କରିବା ପରେ ଫ୍ଲୋରିଆନୋପୋଲିସ୍-ହର୍ସିଲିଓ ଲୁଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ତେବେ ବିମାନଟି ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା ଏବଂ ରନୱେ ସମ୍ପୂର୍ଣ୍ଣ ଓଦା ଥିଲା। ବିମାନଟି ରନୱେରେ କିଛି ବାଟ ଯାଇଥିବାବେଳେ ଏହାର ଚକ ଖସିଯାଇଥିଲା | ଏହା ବାମ ପାର୍ଶ୍ୱ ଆଡକୁ ମାଡିଯାଇଥିଲା |

ବିମାନଟି ରନୱେରୁ ବାହାରିଯାଇ ଘାସ ଥିବା ପଡିଆ ଆଡକୁ ଚାଲିଯାଇଥିଲା |ଆଉ ଓଦା ମାଟି ଯୋଗୁଁ ବିମାନର ଚକ ପଡିଆରେ ଫସିଯାଇଥିଲା | ବିମାନର ଡାହାଣ ପାର୍ଶ୍ୱ ରନୱେରେ ଘଷି ହୋଇଯାଇଥିବାବେଳେ ଭାଇରାଲ ହୋଇଥିବା ଭିଡିଓରେ ଯାତ୍ରୀମାନେ ପାଟି କରୁଥିବା ଶୁଣିବାକୁ ମିଳିଥିଲା। ବିମାନଟି ରନୱେରୁ ଖସିଯିବା ପରେ ତୁରନ୍ତ ବିମାନବନ୍ଦରରେ ଥିବା ସୁରକ୍ଷା ଅଧିକାରୀମାନଙ୍କୁ ଖବର ଦିଆଯାଇଥିଲା | ଏହାପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ | ବିପଜ୍ଜନକ ଅବତରଣ ସତ୍ତ୍ୱେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଏୟାରଲାଇନ୍ସ ବ୍ରାଜିଲ ଏକ ବିବୃତ୍ତିରେ କହିଛି ଯେ ଏହି ବିମାନରେ ୧୭୨ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟ ଥିଲେ ଓ ସମସ୍ତଙ୍କୁ ନିରାପଦରେ ଉଦ୍ଧାର କରାଯାଇଥିଲା। ରନୱେରୁ ଖସିବା ସମୟର ଭିଡିଓ ଯାତ୍ରୀଙ୍କ ମୋବାଇଲ୍ କ୍ୟାମେରାରେ କଏଦ ହୋଇଥିଲା।

Spread the love