ବନୀକରଣକୁ କେବେ ଗୁରୁତ୍ୱ ଦିଆଯିବ?

ପୁରୀ :  ପୁରୀ ଜିଲ୍ଲାର ସମୁଦ୍ର କୂଳରେ ବ୍ୟାପ୍ତ ବାଲୁଖଣ୍ଡରେ କେବଳ ଥୁଣ୍ଟା ଗଛ, କେବେ ଫେରିବ ପୂର୍ଣ୍ଣ ସବୁଜିମା?ବାଲୁଖଣ୍ଡ ଅଭୟାରଣ୍ୟ ରାଜ୍ୟର ଏକ ଅନନ୍ୟ ଅଭୟାରଣ୍ୟ। ଏହା ରାଜ୍ୟର ଏକମାତ୍ର ଅଭୟାରଣ୍ୟ ଯେଉଁଠି କୃଷ୍ଣସାର, ଚିତ୍ରା ହରିଣ ମୁକ୍ତ ଭାବରେ ବିଚରଣ କରନ୍ତତି। ଏବେ କୃଷ୍ଣସାର ମୃଗଙ୍କ ବଂଶ ଲୋପ ପାଇଗଲାଣି ସତ, କିନ୍ତୁ ଚିତ୍ରା ହରିଣ ଏବେ ବି ଏଠାରେ ବସବାସ କରୁଛନ୍ତି। ଏହାସହ  ଭାଲୁ, କୁଟୁରା, ଓଧ ଆଦି ବନ୍ୟଜନ୍ତୁ ବି ରହୁଛନ୍ତିି। ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ହରିଣ ଅଭୟାରଣ୍ୟ ୨୦୧୯ ମସିହା ମେ ମାସ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇଁବା ପରେ ସମ୍ପୂର୍ଣ୍ଣ ବାଲୁଖଣ୍ଡ ଅଭୟାରଣ୍ୟକୁ ମରୁଭୂମିରେ ପରିଣତ କରି ଦେଇଥିଲା। ଯାହା କେବଳ ବନ୍ୟଜନ୍ତୁଙ୍କ ପାଇଁ ଘାତକ ସାଜିନି, ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ ବି ନଷ୍ଟ କରୁଛି। ତଥାପି ବନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା,ପରିବେଶପ୍ରେମୀଙ୍କୁ ଆଘାତ ଦେଇଛି। ସେପଟେ ସରକାର ଏହି କାଠକୁ ଶ୍ରୀମନ୍ଦିର ରୋଷ ଘର ଓ ସ୍ବର୍ଗ ଦ୍ବାର ପାଇଁ ଦେବାକୁ ଘୋଷଣା କରିଥିଲେ ବି ଏହି କାଠ ବାଲୁଖଣ୍ଡ ଅଭ୍ୟୟାରଣ୍ୟରୁ ସମ୍ପୂର୍ଣ୍ଣ ଅପସାରଣ ହୋଇ ପାରିନ‌ାହିଁ।୨୦୧୯ ମସିହା ମେ ମାସ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ଫନିର ପ୍ରହାରରେ ପ୍ରାୟ ୬ଶହ ହେକ୍ଟର ବାଲୁଖଣ୍ଡ ଅଭୟାରଣ୍ୟରୁ ପାଖାପାଖି ୨୨ ଲକ୍ଷ ଗଛ ଭାଙ୍ଗି ପଡ଼ିଥିବା ବନ ବିଭାଗ ଆକଳନ କରିଥିଲା। ଏଥିମଧ୍ୟରେ ଏହି ପ୍ରଳୟଙ୍କରୀ ବାତ୍ୟାକୁ ୪ ବର୍ଷ ବିତିଥିଲେ ବି ବାଲୁଖଣ୍ଡର ଚିତ୍ର ବଦଳିନି। ବୃକ୍ଷରୋପଣ ଉପରେ ନା ସେତେଟା ଗୁରୁତ୍ବ ଦିଆଯାଉଛି ନା ଶୁଖିଲା ଥୁଣ୍ଟା ଗଛ କାଟିବା ଦିଗରେ। କିନ୍ତୁ ଏ ଭିତରେ ବନ ନିଗମ କେବଳ ବାଲୁଖଣ୍ଡର ଏହି ଭଙ୍ଗା ଗଛ କାଟିବାରେ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ କରି ସାରିଥିବା କାଗଜପତ୍ରରେ ଦର୍ଶାଇଛି। ତଥାପି ଯଥା ପୂର୍ବଂ ତଥା ପରଂ ସ୍ଥିତି। ‌ଏବେ ବି କଟା କାଠ ଜଙ୍ଗଲ ଭିତରେ ଗଦା ହୋଇ ରହିଥିବାବେଳେ ବଡ଼ ବଡ଼ ଶୁଖିଲା ଗଛ ଦଣ୍ଡାୟମାନ ରହିଛି। ଯେଉଁଥିରେ ଝାମୁ, ଆକାଶିଆ, ପଟାସ ଆଦି ଗଛ ରହିଛି। ଏବେ ବି ଭୂଇଁରେ ଲକ୍ଷ ଲକ୍ଷ ଗଛ ଲୋଟି ଫନିର ସ୍ମୃତି ଦହନ କରୁଛନ୍ତି। ଯାହାକୁ ଦେଖିଲେ ଫନି ପରବର୍ତ୍ତୀ ପରିଚା‌ଳନାରେ ବନ ବିଭାଗର ଅପରାଗତା ଉଜ୍ଜ୍ବଳ ଦିିିଶେ।ଫନି ପରେ ଚାରିଟି ବର୍ଷା ଋତୁ ବି ଅତିକ୍ରମ କଲାଣି। ମାତ୍ର ଘଞ୍ଚ ବ‌ାଲୁଖଣ୍ଡର ସବୁଜିମା କଥା ଛାଡ଼, ଏ ଯାଏ ଫନିରେ ଭାଙ୍ଗି ପଡିଥିବା ଅଧା ଜଙ୍ଗଲ ବି ସଫା ହୋଇନି। ନୂଆ ଚା‌ରା ବି ରୋପଣ ହୋଇନି। ଏଭଳି ଚିତ୍ରକୁ ନେଇ ନା ପ୍ରଶାସନ ନା ବନ ବିଭାଗ କେବେ ଚିନ୍ତା ପ୍ରକଟ କରୁନାହାନ୍ତି। ଏ ସସମ୍ପର୍କରେ ବନଖଣ୍ଡ ଅଧିକାରୀ ପି. ରାମସ୍ବାମୀ କହିଛନ୍ତି, ଆମେ ବନୀକରଣ ଉପରେ ଗୁରୁତ୍ବ ଦେଇଛୁ। ବାଲୁଖଣ୍ଡର ପୁନରୁଦ୍ଧାର ପାଇଁ ଏବେ ବି ବୃକ୍ଷରୋପଣ ଚାଲିଛି।

Spread the love