ମଙ୍କିପକ୍ସ ପରେ ଭାରତରେ ଏବେ ଆଫ୍ରିକାନ ସ୍ୱାଇନ୍‌ ଫ୍ଲୁ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ଦେଶରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ କମିନାହିଁ ଆଉ ଏବେ ଆଫ୍ରିକାନ ସ୍ୱାଇନ ଜ୍ୱର ଚିନ୍ତା ବଢ଼ାଇଲାଣି। ଆସାମରେ ଘୁଷୁରିମାନଙ୍କ ମଧ୍ୟରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ଜ୍ୱର ଚିହ୍ନଟ ହୋଇଛି। ଦିବ୍ରୁଗଡ଼ ଭୋଗାଲି ପଥର ଗାଁରେ ଏକ ଘୁଷୁରି ଏହି ଭାଇରସ୍‌ରେ ପଜିଟିଭ୍ ଚିହ୍ନଟ ହୋଇଛି।ଦିବ୍ରୁଗଡ଼ ପଶୁ ପାଳନ ତଥା ପଶୁ ଚିକିତ୍ସା ଅଧିକାରୀ ଡା. ହିମାନ୍ଦୁ ବିକାଶ ବରୁଆ  ସୂଚନା ଦେଇଛନ୍ତି। ଦିବ୍ରୁଗଡ଼ରେ ଯେଉଁଠାରୁ ଘୁଷୁରି ଠାରେ ଏହି ଭାଇରସ ଚିହ୍ନଟ ହୋଇଛି ସେହିଠାରୁ ଏକ କିମି ପର୍ଯ୍ୟନ୍ତ ଘୁଷୁରିକୁ ମାରିଦିଆଯାଇଛି ବୋଲି ଶ୍ରୀ ବରୁଆ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ନିୟମ ଅନୁସାରେ ଆମେ ପ୍ରଥମେ ୧ କିମି ଏରିଆକୁ ସଂକ୍ରମିତ ଅଞ୍ଚଳ ବୋଲି ଘୋଷଣା କରିଥିଲୁ। ଏହାପରେ ସଂକ୍ରମିତ ଅଞ୍ଚଳର ସମସ୍ତ ଘୁଷୁରିକୁ ମାରିବା ସହ ସେଗୁଡ଼ିକୁ ପୋତିଆ ଦିଆଯାଇଛି। ତତ୍‌ ସଂଗେ ସଂଗେ ଆମେ ଏରିଆଗୁଡ଼ିକୁ ସାନିଟାଇଜ୍ ମଧ୍ୟ କରିଛୁ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଫ୍ରିକାନ ସ୍ୱାଇନ୍ ଫିବର ଘୁଷୁରିଙ୍କ ପାଇଁ ମାରାତ୍ମକ ହୋଇପାରେ। ତେବେ ଏହା ମଣିଷକୁ ସଂକ୍ରମିତ କରେ ନାହିଁ। କିନ୍ତୁ ଘୁଷୁରିଙ୍କ ପାଇଁ ଏହା ପ୍ରାଣଘାତକ। ସରକାରୀ ତଥ୍ୟ ଅନୁସାରେ, ୨୦୨୦ରୁ ୨୦୨୨ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ୧,୧୮୧ ଘୁଷୁରି ହତ୍ୟା ବ୍ୟତୀତ ରାଜ୍ୟରେ ପାଖାପାଖି ୪୦,୧୫୯ ଘୁଷୁରି ଏହି ଜ୍ୱରରେ ପ୍ରାଣ ହରାଇଛନ୍ତି।

Spread the love