କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି; ଆସାମ, ନାଗାଲାଣ୍ଡ ଓ ମଣିପୁରରେ ହ୍ରାସ ହେବ AFSPA ଏରିଆ

ନୂଆଦିଲ୍ଲୀ: ନାଗାଲାଣ୍ଡ, ଆସାମ ଓ ମଣିପୁରରେ ଏହି ତିନି ରାଜ୍ୟରେ AFSPA(ଆର୍ମଡ୍ ଫୋର୍ସ ସ୍ପେଶାଲ୍ ପାୱାର ଆକ୍ଟ) ଏରିଆ କମାଇବାକୁ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର। ପୂର୍ବରୁ ଏହିସବୁ ରାଜ୍ୟ କେନ୍ଦ୍ର AFSPA ଏରିଆ ବୃଦ୍ଧି ନେଇ ରାଜ୍ୟମାନଙ୍କ ମଧ୍ୟରେ ସବୁବେଳେ ଅସନ୍ତୋଷ ଲାଗି ରହୁଥିଲା। ତେଣୁ ସେନା ଦଖଲରେ ଥିବା ଅଞ୍ଚଳକୁ କମାଇବାକୁ ରାଜ୍ୟମାନେ ଦାବି କରି ଆସୁଥିଲେ। ଏବେ କେନ୍ଦ୍ର ସରକାର ଏହାକୁ କମାଇ ଦେବାକୁ ନିଷ୍ପତ୍ତି ନେଇ ଦଶନ୍ଧି ଦଶନ୍ଧି ଧରି ଥିବା ସମସ୍ୟାର ସମାଧାନ କରିଛନ୍ତି ବୋଲି  ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି।

ଆସନ୍ତାକାଲି ଠାରୁ ନୂଆ ନିଷ୍ପତ୍ତି ଲାଗୁ ହେବ। ନାଗାଲଣ୍ଡର ୭ ଜିଲ୍ଲାର ଥିବା ୧୫ ପୁଲିସ ଷ୍ଟେସନ୍‌ରେ ସେନା ଅକ୍ତିଆରରୁ ହଟିବ। ସେହିପରି ଆସାମର ୨୩ ଜିଲ୍ଲାରୁ AFSPA ଏରିଆ ନୋଟିଫିକେସନ ଉଠିବ। ତେବେ ରାଜ୍ୟରେ ଗୋଟିଏ ଜିଲ୍ଲା ଆଂଶିକ ସେନା ଦଖଲ ରହିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ସେହିପରି ମଣିପୁରର ୬ ଜିଲ୍ଲାରେ ଥିବା ୧୫ ପୁଲିସ ଷ୍ଟେସନ୍ ବିବାଦୀୟ ସ୍ଥାନ(ଡିଷ୍ଟର୍ବ ଏରିଆ ନୋଟିଫିକେସନ୍‌) ତାଲିକାରୁ ବାଦ୍ ଦିଆଯିବ। ହିସାବକୁ ଦେଖିଲେ ୨୦୧୪ ତୁଳନାରେ ୨୦୨୧ରେ ଏହି ସବୁ ସ୍ଥାନମାନଙ୍କରେ ଆତଙ୍କବାଦ କାର୍ଯ୍ୟକଳାପ ୭୪ ପ୍ରତିଶତକୁ ଖସିଆସିଛି। ସେହିପରି ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୬୦ ପ୍ରତିଶତ ଓ ୮୪ ପ୍ରତିଶତକୁ ଖସିଆସିଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଅଧିକାଂଶ ଚରମପନ୍ଥୀ ସଂଗଠନମାନେ ନିଜର ହିଂସା ଛାଡ଼ି  ଭାରତର ଗଣତନ୍ତ୍ର ବ୍ୟବସ୍ଥା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଲିସି ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ବର୍ତ୍ତମାନ ସେମାନେ ସମସ୍ତେ ଗଣତନ୍ତ୍ରର ଅଂଶ ହୋଇ ଦେଶର ବିକାଶ ଓ ଶାନ୍ତି କାଏମ୍ ଦିଗରେ କାମ କରୁଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ଗତ କିଛି ବର୍ଷ ଭିତରେ ୭ ହଜାର ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।   

ଉତ୍ତରପୂର୍ବ ଭାରତରେ ଶାନ୍ତି ବଜାଇ ରଖିବା ପାଇଁ କେନ୍ଦ୍ର ସରକାର ଓ ଚରମପନ୍ଥୀ ସଂଗଠନ ମଧ୍ୟରେ ଅନେକ ଚୁକ୍ତି ହୋଇଛି। ୨୦୨୦ ଜାନୁଆରୀ ମାସରେ ଆସାମରେ ଥିବା ୫୦ ବର୍ଷର ପୁରୁଣା ବୋଡୋ ସମସ୍ୟାର ସମାଧାନ କରାଯାଇଛି। ସେହିପରି ଆସାମରେ କାରବୀ ଅଞ୍ଚଳରେ ଥିବା ସମସ୍ୟାକୁ ୨୦୨୧ରେ କାରବୀ ଅଙ୍ଗଲଙ୍ଗ ଏଗ୍ରିମେଣ୍ଟ କରାଯାଇ ସମାଧାନ କରାଯାଇଛି।

ସେହିପରି ଜାନୁଆରୀ ୨୦୨୦ରେ ଭୂମିଚିହ୍ନଟ ଚୁକ୍ତି କରି ୨୩ ବର୍ଷ ପୁରୁଣା ବ୍ରୁ ରିଙ୍ଗ ଶରଣାର୍ଥୀ ସମସ୍ୟା ଏବଂ ୩୭ ହଜାର ବିସ୍ଥାପିତ ଲୋକଙ୍କୁ ତ୍ରିପୁରାରେ ଥଇଥାନ କରାଯାଇଛି। ମାର୍ଚ୍ଚ ୨୦୨୨ରେ ଆସାମ ଓ ମେଘାଳୟ ମଧ୍ୟରେଥିବା ସୀମା ବିବାଦକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ତା ସହିତ ଉତ୍ତରପୂର୍ବାଞ୍ଚଳରେ ଚରମପନ୍ଥୀବିହୀନ କରିବାକୁ କେନ୍ଦ୍ର ସରକାର ସମୟରେ ସମୟରେ ସେମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Spread the love