୮ ଦିନ ଲକ୍‌ଡାଉନ୍‌ରେ ମିଳୁନି ଖାଦ୍ୟ, ଭୋକରେ ଡହଳ ବିକଳ ଚୀନ୍‌ ନାଗରିକ

ନୂଆଦିଲ୍ଲୀ, ୩୧/୧୨: ଚୀନ୍‌ର ଏକ ସହରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌କୁ ନେଇ ସେଠାକାର ନାଗରିକଙ୍କ ସ୍ଥିତି ବେହାଲ୍‌ ହୋଇପଡ଼ିଛି । ମାତ୍ର  ୮ ଦିନ ଲକ୍‌ଡାଉନ୍‌ରେ ଖାଦ୍ୟର ଘୋର ସଙ୍କଟ ଦେଖିବାକୁ ମିଳିଛି । ଯାହା ଫଳରେ କିଛି ଲୋକଙ୍କ ଘରେ ଖାଦ୍ୟ ନଥିବାରୁ ସେମାନେ ଉପାସରେ ରହୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ଚୀନ୍‌ର କ୍ସିଆନ୍ ସହରରେ ପାଖାପାଖି ୧୩ ମିଲିୟନ୍‌ ଲୋକ ବସବାସ କରିନ୍ତି । ଏହି ଅଞ୍ଚଳରେ ଗତ ବୁଧବାର ୧୫୬ଟି କରୋନାର ନୂଆ ମାମଲା ଆସିଥିବା ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିଶନ୍ ପକ୍ଷରୁ କୁହାଯାଇଥିଲା । ୧୫୫ଟି ମାମଲା କ୍ସିଆନ୍‌ର ହୋଇଥିବା ବେଳେ ଗୁଆଙ୍ଗସି ଅଞ୍ଚଳରୁ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା । ଏହାଛଡ଼ା  ୫୧ଟି ମାମଲା ବାହାର ଦେଶରୁ ଆସିଥିବା ବ୍ୟକ୍ତିଙ୍କ ଠାରୁ ଚିହ୍ନଟ ହୋଇଥିଲା । ଏହାର ଦିନକ ପୂର୍ବରୁ ୧୫୧ ମାମଲା ରେକର୍ଡ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନର ଘୋଷଣା କରିଥିଲା ।

ଡିସେମ୍ୱର ମାସ ୯ ତାରଖରୁ ବର୍ତ୍ତମାନ ସୁଦ୍ଧା କ୍ସିଆନ୍‌ ଅଞ୍ଚଳରୁ ୧,୧୧୭ଟି ମାମଲା ରେକର୍ଡ କରାଗଲାଣି । ଅନେକ ଘରର ଲୋକଙ୍କୁ କୋଭିଡ୍‌ ଟେଷ୍ଟ ବିନା ବାହାରିବାକୁ ସ୍ଥାନୀୟ ପ୍ରଶାସନ ବାରଣ କରିଥିବା ବେଳେ ଏବେ ସେମାନଙ୍କ ଘରେ ଖାଦ୍ୟ ସଙ୍କଟ ଦେଖାଯାଇଛି । ସେମାନେ ସେମାନଙ୍କର ଅତ୍ୟାବଶ୍ୟକ ଦ୍ରବ୍ୟ କିଣି ପାରୁନାହାନ୍ତି । ଲକ୍‌ଡାଉନ୍‌ କାରଣରୁ ମଧ୍ୟ ଦୋକାନ ବଜାର ବନ୍ଦ ରହିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Spread the love