ବ୍ରହ୍ମପୁରର ସାମନ୍ତରାୟ ଏକାଡ଼େମୀର ୧୧୧ ଛାତ୍ର ଅଗ୍ନିବୀର ସ୍ଥଳ ସେନା ପାଇଁ ମନୋନୀତ

ପ୍ରଥମ ଉଦ୍ୟମରେ ହିଁ ଏକା ଥରକେ ୧୧୧ ଜଣ ଛାତ୍ର ଅଗ୍ନିବୀର ସ୍ଥଳ ସେନା ପାଇଁ ମନୋନୀତ। ଏପରି ସଫଳତା ମିଳିଛି ବ୍ରହ୍ମପୁରର ସାମନ୍ତରାୟ ଏକାଡ଼େମୀକୁ। ବିଗତ ୨୩ ବର୍ଷ ଭିତରେ ଏହି ଏକାଡ଼େମୀର ୩ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସେନା ବାହିନୀରେ ଯୋଗ ଦାନ କରିବାର କୃତୀତ୍ୱ ହାସଲ କରିଥିବା ବେଳେ ଅଗ୍ନିବୀରରେ ଏକା ଥରକେ ଏତେ ପିଲା ସଫଳତା ପାଇଥିବାରୁ ଏକାଡ଼େମୀ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ଯତ କାମନା କରାଯାଇଛି। କଥାରେ ଅଛି ପେଟ ପାଇଁ ନାଟ। ଅର୍ଥାତ୍‌ ନିଜର ଭରଣପୋଷଣ ପାଇଁ ହେଉ ଅବା ପରିବାର ଚଳାଇବା ପାଇଁ ହେଉ ପ୍ରତ୍ଯେକଙ୍କୁ କିଛି ନା କିଛି କର୍ମ କରିବାକୁ ପଡ଼ିଥାଏ। ଏଥି ପାଇଁ କିଏ ନିଜ ଲକ୍ଷ୍ୟ ମୁତାବକ ଡାକ୍ତର ହୋଇଥାନ୍ତି ତ ଆଉ କିଏ ଇଂଜିନିୟର ସାଜିଥାନ୍ତି। ସେହିପରି କିଏ ପୋଲିସ ପ୍ରଶାସନରେ ଭର୍ତି ହୋଇଥାନ୍ତି ତ ଆଉ କିଏ ଅନ୍ଯ କିଛି ପେଷାକୁ ଆଦରି ନେଇଥାନ୍ତି। ତେବେ ଅନେକଙ୍କ ସ୍ୱପ୍ନ ରହିଥାଏ ସେନା ବାହିନୀରେ ଯୋଗଦାନ କରି ଭାରତ ମାଆର ସେବା କରିବା ପାଇଁ। ଆଉ ସେପରି ଲକ୍ଷ୍ୟ ରଖିଥିବା ପିଲା ମାନଙ୍କ ପାଇଁ ପ୍ରତି ବର୍ଷ ଏପରି ସୁଯୋଗ ଆଣି ଦେଇଥାନ୍ତି ବ୍ରହ୍ମପୁରର ସାମନ୍ତରାୟ ଏକାଡ଼େମୀ। ଚଳିତ ପରୀକ୍ଷାରେ ଅନୁଷ୍ଠାନର ୧୧୧ ଜଣ ଛାତ୍ର ଅଗ୍ନିବୀର ପାଇଁ ମନୋନୀତ ହୋଇଛନ୍ତି। ଏଥି ପାଇଁ ସେମାନଙ୍କ ଖୁସି କହିଲେ ନସରେ।

୨୦୦୦ ମସିହାରୁ ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଠାରେ ଗଢ଼ି ଉଠିଛି ଏହି ଅନୁଷ୍ଠାନ। ପୁଅକୁ ସେନାରେ ଭର୍ତି କରିବାର ସ୍ୱପ୍ନ ଦେଖି ବିଫଳ ହେବା ପରେ ଡ. ଲଳିତ ମୋହନ ସାମନ୍ତରାୟ ନିଜ ପୁଅ ଦେବେଶ ସାମନ୍ତରାୟଙ୍କ ମାଧ୍ଯମରେ ସାମନ୍ତରାୟ ଏକାଡ଼େମୀ ଗଠନ କରିଥିଲେ। ଆଉ ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ ଯାଇ ଦେବେଶ ଆର୍ମି, ନେଭାଲ୍‌ ଓ ଏୟାରଫୋର୍ସରେ ଯୋଗଦାନ କରିବା ନିମନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରି ଆସୁଛନ୍ତି। ଆର୍ମି, ନେଭି, ଏୟାରଫୋର୍ସର ବିଭିନ୍ନ ଟ୍ରେଡ୍‌ ରେ ୩ହଜାରରୁ ଊର୍ଦ୍ଧ୍ୱ ଯୋଗଦାନ କରିଥିବା ବେଳେ ଏନଡିଏ ରେ ୪୫ ଜଣ ଛାତ୍ର କୃତିତ୍ୱ ହାସଲ କରିଛନ୍ତି। ଅଗ୍ନିବୀରକୁ ନେଇ ବାଦ ବିବାଦ ସୃଷ୍ଟି ହୋଇଥିବା ବେଳେ ଏକାଡ଼େମୀର ୧୧୧ ଜଣ ଛାତ୍ର ପ୍ରଥମ ଉଦ୍ୟମରେ ହିଁ ପାଇଥିବାରୁ ଏକାଡ଼େମୀର ନିର୍ଦ୍ଦେଶକ ଓ ଅଭିଭାବକ ବେଶ୍‌ ଖୁସି।

ତେବେ ସେନାରେ ଯୋଗ ଦେଇ ଭାରତ ମାତାର ସୁରକ୍ଷା କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ନିଜ ପରିଶ୍ରମ ବଳରେ ମନୋନୀତ ହେବାପରେ ଖୁବ୍ ଖୁସିଥିବା ଦେଖିବାକୁ ମିଳିଥିବାବେଳେ, ସେମାନଙ୍କ ଭବିଷ୍ଯତ ଉଜ୍ୱଳ ହେଉ ଏହା ସମସ୍ତଙ୍କ କାମନା ।

Spread the love