୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଫି ନ ବଢାଇବାକୁ କଲେଜମାନଙ୍କୁ କହିଲା ଏଆଇସିଟିଇ

ଅଲ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE)କୁ କରୋନା ମହାମାରୀ ସମୟରେ ପରୀକ୍ଷା କରିବା ନେଇ ବହୁ ଅଭିଯୋଗ ଆସିବାରେ ଲାଗିଛି |ଏଆଇସିଟିଇ ସଦସ୍ୟ ସଚିବ ପ୍ରଫେସର ଡ. ରାଜୀବ କୁମାର କହିଛନ୍ତି ଯେ ଏହି ସମୟରେ ଲୋକମାନେ ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀ ଏବଂ ଲକଡାଉନ୍ ପରେ କଲେଜ, ବିଶ୍ୱବିଦ୍ୟାଳୟ, ଅନୁବନ୍ଧିତ ବୈଷୟିକ ପ୍ରତିଷ୍ଠାନ ଏବଂ ପଲିଟେକ୍ନିକ୍ସ ପାଇଁ ୟୁଜିସିର ନିର୍ଦ୍ଦେଶାବଳୀ ଅନୁଯାୟୀ ଏଆଇସିଟିଇ ଏକାଡେମିକ୍ କ୍ୟାଲେଣ୍ଡର ପଠାଇଛି।

ପ୍ରଫେସର ରାଜୀବ କୁମାରଙ୍କ କହିବା ଅନୁଯାୟୀ ୟୁଜିସି ଗାଇଡଲାଇନ ବିଶ୍ୱବିଦ୍ୟାଳୟକୁ ପଠାଯିବା ପରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଚିନ୍ତାଧାରା ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ ଜଣାଇବାକୁ ପଡ଼ିବ | ଛାତ୍ରଛାତ୍ରୀଙ୍କ ଅଭିଯୋଗ ଏବଂ ପରିସ୍ଥିତିକୁ ଅନୁଧ୍ୟାନ କରି ବିଶ୍ୱବିଦ୍ୟାଳୟ ପରୀକ୍ଷା ଉପରେ ନିଷ୍ପତ୍ତି ନେବ। ନିକଟରେ ଏଆଇସିଟିଇ ମଧ୍ୟ ୨୦୨୦-୨୧ ଶିକ୍ଷାବର୍ଷରେ ସମସ୍ତ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଏବଂ ହୋଟେଲ ମ୍ୟାନେଜମେଣ୍ଟ କଲେଜକୁ ଟ୍ୟୁସନ ଫି ବୃଦ୍ଧି ନକରିବାକୁ କହିଛି । ବିଶ୍ୱ ମହାମାରୀ କୋଭିଡ -୧୯ ଯୋଗୁଁ ହୋଇଥିବା ଲକଡାଉନ କାରଣରୁ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ। ତେଣୁ ସେମାନେ ଚଳିତ ବର୍ଷ ଟ୍ୟୁସନ ଫି ବୃଦ୍ଧି କରିବା ଉଚିତ୍ ନୁହେଁ | ଏହା ବ୍ୟତୀତ ଫି ଜମା କରିବା ପାଇଁ ଅଭିଭାବକଙ୍କୁ ସମୟ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି |

Spread the love